କଟକ : ଉଚ୍ଚ ଶିକ୍ଷା ସଚିବଙ୍କ ବିରୋଧରେ ବିଚାରାଧୀନ ଥିବା ଦୁଇଟି ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଖତିଗୁଡ଼ାସ୍ଥିତ ଇନ୍ଦ୍ରବତୀ ପ୍ରୋଜେକ୍ଟ କଲେଜ ଓ କଳାହାଣ୍ଡି ଜିଲ୍ଲା ଜୟପାଟଣାସ୍ଥିତ ଇନ୍ଦ୍ରାବତୀ ହାୟର ସେକେଣ୍ଡାରି ସ୍କୁଲ ଅଧ୍ୟାପକ ଓ କର୍ମଚାରୀଙ୍କୁ ଗ୍ରାଣ୍ଟ୍-ଇନ୍-ଏଡ୍ ପ୍ରଦାନ ପ୍ରସଂଗରେ ହାଇକୋର୍ଟ ୨୦୧୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ହୋଇଥିଲା ଏହି ଦୁଇ ଅଦାଲତ ଅବମାନନା ମାମଲା। ଏହି ଦୁଇ ଅଦାଲତ ଅବମାନନା ମାମଲାର ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୨୦୧୫, ଏପ୍ରିଲ ୧୬ର ନିର୍ଦ୍ଦେଶ ଉଲ୍ଲଂଘନ ହୋଇଥିବା ଦର୍ଶାଇବା ସହିତ ଉଚ୍ଚ ଶିକ୍ଷା ସଚିବଙ୍କୁ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୫, ଏପ୍ରିଲ ୬ର ନିର୍ଦ୍ଦେଶ ପ୍ରତିପକ୍ଷ ଜାଣିଶୁଣି ଉଲ୍ଲଂଘନ କରିଛନ୍ତି ବୋଲି ହାଇକୋର୍ଟଙ୍କ ୨୦୨୧, ଫେବ୍ରୁଆରି ୫ର ରାୟରେ ସ୍ପଷ୍ଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜଣିକିଆ ବିଚାରପତିଙ୍କ ୨୦୧୫, ଏପ୍ରିଲ ୧୬ର ରାୟ ସହିତ ଅଦାଲତ ଅବମାନନା ମାମଲାରେ ବିଭିନ୍ନ ତାରିଖରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ହାଇକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୨୦୨୧ରେ ଦୁଇଟି ରିଟ୍ ଅପିଲ ଦାୟର କରାଯାଇଥିଲା। ୨୦୧୫, ଏପ୍ରିଲ ୧୬ର ନିର୍ଦ୍ଦେଶ ସରକାର ଉଲ୍ଲଂଘନ କରି ନାହାନ୍ତି ବୋଲି ଆଜି ପ୍ରକାଶିତ ରିଟ୍ ଅପିଲ ରାୟରେ ହାଇକୋର୍ଟ କହିଛନ୍ତି। ଅଦାଲତ ଅବମାନନା ମାମଲାରେ ପ୍ରଦାନ କରାଯାଇଥିବା ୨୦୨୧, ଫେବ୍ରୁଆରି ୫, ଏପ୍ରିଲ ୧୫ ଓ ଏପ୍ରିଲ ୨୯ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଦୁଇ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବା ସହିତ ଏହାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ଏଏସସି ଏସ.ଏନ.ଦାସ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Odisha_high_court.jpg)