କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ଛାତ୍ରାବାସ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦଣ୍ଡିତ ଛାତ୍ରଙ୍କୁ ପରୀକ୍ଷା ଦେବା ଲାଗି ସୁଯୋଗ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିସ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକପର୍କିତ ମାମଲାର ଶୁଣାଣି କରି ଆବେଦନକାରୀ ଛାତ୍ରଙ୍କୁ ନିକଟରେ ଅନୁଷ୍ଠିତ ହେବାକୁ ବାର୍ଷିକ ପରୀକ୍ଷାରେ ବସିବା ଲାଗି ଅନୁମତି ଦେବା ପାଇଁ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତା ୧୬ରେ ଆରମ୍ଭ ହେବାକୁ ଥିବା ପରୀକ୍ଷା ଆବେଦନକାରୀ ଦେବା ଲାଗି ସୁଯୋଗ ପାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ନଭେମ୍ବର ୨୧ରେ ରେଭେନ୍ସା ନ୍ୟୁ ହଷ୍ଟେଲ ଓ ଲଳିତଗିରି ଛାତ୍ରବାସ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ୩୮ଜଣ ସାମିଲ ଥିବା ଅଭିଯୋଗ ହୋଇଥିବା ବେଳେ ୧୬ ଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସଂପୃକ୍ତ ଛାତ୍ରଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଥିଲା। ଏଥି ସହିତ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଦଣ୍ଡିତ ଛାତ୍ର ଏପରି କଠୋର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅସୀମ ଅମିତାଭ ଦାସ ଓ ଅନନ୍ତ ନାରାୟଣ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/odisha-HC-1.jpg)