ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଓ୍ଵବ୍‌ସାଇଟରେ କଲେଜ ଛାତ୍ରୀଙ୍କ ସଂପର୍କରେ ଆପତ୍ତିଜନକ ତଥ୍ୟ

କଟକ : ଦେହ ବ୍ୟବସାୟ ଚଳାଇବା ପାଇଁ ଖୋଲା ଯାଇଥିବା େଓ୍ଵବ୍‌ସାଇଟରେ ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଙ୍କ ନାଁ ପ୍ରକାଶକୁ ନେଇ ୨୦୦୨ରେ ହଟଚମଟ ସୃଷ୍ଟି ହୋଇଥିଲା। ଏ ସଂପର୍କରେ ନ୍ୟୁଜ୍‌ ଚାନେଲରେ ଖବର ପ୍ରସାରଣ ପରେ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ଜନସ୍ୱାର୍ଥ ମାମଲାରେ ସିବିଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଘଟଣାର ତଦନ୍ତ ଦାୟିତ୍ୱ ଯଦି ହସ୍ତାନ୍ତର କରାଯାଏ ତେବେ ଏଥିପାଇଁ ସିବିଆଇ ପ୍ରସ୍ତୁତ ଅଛି। ତଦନ୍ତ ପାଇଁ ସିବିଆଇ ସହମତି ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ଡକ୍ଟର ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୧୫ ଦିନ ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତର ସାନି ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆମେରିକାର ମାଇକେଲ ସିଂ ନାମକ ବ୍ୟକ୍ତି ଦେହ ବ୍ୟବସାୟ ଚଳାଇବା ପାଇଁ ଏକ େଓ୍ଵବସାଇଟ ଖୋଲିଥିବା ସଂପର୍କରେ ଗୋଟିଏ ଟିଭି ଚ୍ୟାନେଲରେ ଖବର ପ୍ରସାରଣ ହୋଇଥିଲା। ଏହି ଓ୍ଵବ୍‌ସାଇଟରେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହାବିଦ୍ୟାଳୟ ଓ କଟକର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନର ଛାତ୍ରୀଙ୍କ ସଂପର୍କରେ ତଥ୍ୟ ପ୍ରକାଶ କରାଯାଇଥିଲା। ଏହିସବୁ ଛାତ୍ରୀଙ୍କ ନାଁ ଓ ଠିକଣା ଓ୍ଵବସାଇଟ୍‌ରେ ଦିଆଯାଇଥିଲା। ଏହି ଛାତ୍ରୀଙ୍କ ସଂପର୍କରେ ତଥ୍ୟ ପ୍ରକାଶ ସହିତ ଓ୍ଵବ୍‌ସାଇଟ୍‌ରେ ଦାବି କରାଯାଇଥିଲା ଯେ ଟଙ୍କା ବଦଳରେ ଏହି ଛାତ୍ରୀଙ୍କୁ ଏଜେଣ୍ଟଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ। ଏଥିପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଠିକଣାରେ ତାଙ୍କ ପସନ୍ଦ ଅନୁସାରେ ସଂପୃକ୍ତ ମହିଳାଙ୍କୁ ଏଜେଣ୍ଟ ନେଇ ପହଞ୍ଚାଇଦେବେ। ଏହି ଓ୍ଵବ୍‌ସାଇଟରେ ଛାତ୍ରୀଙ୍କ ଶିକ୍ଷାନୁଷ୍ଠାନର ନାଁ ଦିଆଯିବା ସହିତ ଭୁବନେଶ୍ୱର ଓ କଟକର ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ହଷ୍ଟେଲ ଠିକଣା ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଥିଲା।

ଛାତ୍ରୀଙ୍କ ସହିତ ବହୁ ଅବିବାହିତା ଓ ବିବାହିତା ମହିଳାଙ୍କ ନାଁ, ଠିକଣା ଓ ଫଟୋ ଏହି ଓ୍ଵବସାଇଟ୍‌ ପ୍ରକାଶ କରିଥିଲା। କେନ୍ଦୁଝର, ମୟୂରରଭଞ୍ଜ, ସୁନ୍ଦରଗଡ ଓ ଅନ୍ୟ ଆଦିବାସୀ ଅଞ୍ଚଳର ଝିଅଙ୍କ ଫଟୋ, ନାଁ, ଗାଁ, ଠିକଣା ଦେହ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଏହି ଓ୍ଵବ୍‌ସାଇଟରେ ମଧ୍ୟ ଛଡା ଯାଇଥିଲା। ରାଜ୍ୟର ଛାତ୍ରୀ ଓ ମହିଳାଙ୍କ ସଂପର୍କରେ ଏପରି ଆପତ୍ତିଜନକ ତଥ୍ୟ ଓ୍ଵବ୍‌ସାଇଟରେ ପ୍ରକାଶ ପାଇବା ଘଟଣାକୁ ନେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଂଜୀବନୀ’ର ସଦସ୍ୟ ସଚିବ ଋତୁପର୍ଣ୍ଣା ମହାନ୍ତି ଓ ମହିଳା କମିସନଙ୍କ ତତ୍କାଳୀନ ସଦସ୍ୟ ନମ୍ରତା ଚଢା ୨୦୦୨ ମସିହା ଫେବ୍ରୁଆରି ୧୨ ତାରିଖରେ ଭୁବନେଶ୍ୱର ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏ ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଉଭୟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର