ଜେଲ୍‌ରେ ଭିଡ଼ ଏଡ଼ାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତି ରହିବେ ସ୍ବାସ୍ଥ୍ୟ ସଚିବ, ପୁଲିସ ଗୃହ ନିର୍ମାଣ ନିଗମ ସିଏମ୍‌ଡି

କଟକ : ରାଜ୍ୟର ଅଧିକାଂଶ ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀ ରହିଛନ୍ତି। ଯାଜପୁର ସବ୍ ଜେଲ୍‌ ଓ ଭଦ୍ରକ ସ୍ପେଶାଲ ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଯଥାକ୍ରମେ ୭୧ ଓ ୫୦ ପ୍ରତିଶତ ଅଧିକ ବନ୍ଦୀ ଏବେ ଅଛନ୍ତି। ଏଥିସହିତ ରାଜ୍ୟର ୧୭ଟି ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ୨୦ରୁ ୪୦ ପ୍ରତିଶତ ଅଧିକ ବନ୍ଦୀଙ୍କୁ ରଖାଯାଇଛି। ହାଇକୋର୍ଟରେ ଜେଲ୍‌ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ସମୟରେ ଏଭଳି ଘଟଣା ସାମ୍‌ନାକୁ ଆସିଛି। ତେବେ, ଜେଲ୍‌ଗୁଡିକରେ ଭିଡ଼ ଏଡ଼ାଇବା ଉପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି।

ଗୁରୁବାର ଦିନ ହାଇକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି କରାଯାଇଛି। ଶୁଣାଣି ସମୟରେ ଜେଲ୍‌ ଡିଆଇଜିଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ବିଭିନ୍ନ ଜେଲ୍‌ର ଭିତ୍ତିଭୂମି ବିକାଶ କରାଯାଇ ଅଧିକ ସଂଖ୍ୟକ ବନ୍ଦୀ ରହିବା ପ୍ରସଙ୍ଗରେ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଜେଲ୍‌ର କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକ ନିର୍ମାଣ ଲାଗି ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି)କୁ ଦାୟିତ୍ବ ଦିଆଯାଇଛି। ଏ ସଂପର୍କିତ କେତେକ ପ୍ରକଳ୍ପର କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ସରିବ ବୋଲି ଜେଲ୍‌ ଡିଆଇଜିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଓପିଏଚଡବ୍ଲୁସି ସିଏମ୍‌ଡି ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ରହି ଜେଲ୍‌ଗୁଡ଼ିକର କ୍ଷମତା ବୃଦ୍ଧିପାଇଁ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟର ସାନି ସ୍ଥିତି ନେଇ ଅବଗତ କରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପଗୁଡ଼ିକ ଶେଷ ହେବାକୁ କ’ଣ ସମୟସୀମା ରହିଛି, ସେ ନେଇ ସିଏମ୍‌ଡି ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ରହି ଜେଲ୍‌ରେ ବନ୍ଦୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ପ୍ରସଙ୍ଗରେ ପକ୍ଷ ରଖିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ଜେଲ୍‌ରେ ବନ୍ଦୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମନସ୍ତତ୍ତ୍ବବିତ ଓ ଡାକ୍ତରଙ୍କ ନିୟୋଜନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ଅନ୍ୟପକ୍ଷରେ, ଜେଲ୍‌ରେ ବହୁ ବନ୍ଦୀଙ୍କ ମାନସିକ ‌ରୋଗ ଭଳି ସମସ୍ୟା ଦେଖା ଦେଉଥିବା ବେଳେ ମନସ୍ତତ୍ତ୍ବବିତ୍‌ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆଜି ଜେଲ୍‌ ଡିଜି ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ଦର୍ଶାଇଥିଲେ। ଏଥିସହିତ ଯୁବ ବନ୍ଦୀଙ୍କୁ ଅନ୍ୟ ବୟସ୍କ ବନ୍ଦୀଙ୍କଠାରୁ ପୃଥକ୍‌ ଭାବେ ରଖିବା ପ୍ରସଙ୍ଗରେ ସଂପୂର୍ଣ୍ଣ ଭାବେ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ବିଶେଷକରି, ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀ ଥିବା ଜେଲ୍‌ଗୁଡିକରେ ଯୁବବନ୍ଦୀଙ୍କୁ ପୃଥକ୍‌ କରିବା କାର୍ଯ୍ୟ‌ରେ ସମସ୍ୟା ରହୁଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଙ୍ଗରେ ସାନି ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ଜେଲ୍‌ ଡିଜିଙ୍କୁ ହାଇକୋର୍ଟ କହିଛନ୍ତି। କୃଷ୍ଣପ୍ରସାଦ ସାହୁଙ୍କ ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି କହିଛନ୍ତି। ପରବର୍ତ୍ତୀ ଶୁଣାଣି ୨୦୨୩, ଜାନୁଆରି ୨କୁ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର