ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ଚରମ ନିଷ୍ପତ୍ତି ନେଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ 

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ସମୟ ଦେଲେନାହିଁ।  ଦାବିପତ୍ର ଦେବା ପରେ ବି କିଛି ଶୁଣିଲେ ନାହିଁ। ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଚରମ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କର୍ମକର୍ତ୍ତା ଓ ସଦସ୍ୟମାନେ ରାଜଧାନୀ ଯାଇ ଲୋକସେବା ସଦନକୁ ‌ଜୋର ଜବରଦସ୍ତ ପ୍ରବେଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ପହଂଚି ଆଲେଚାନା ପାଇଁ ତାଙ୍କୁ ବାଧ୍ୟ କରିବାକୁ ସଂଘର ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଉ ସେତେବେଳେ ସାରା ରାଜ୍ୟରେ ଯେଉଁ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟିହେବ, ସେଥିପାଇଁ ଓଡ଼ିଶା ସରକାର ସଂପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ସତର୍କ କରାଇଦିଆଯାଇଛି।

ଆଜି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠତ ହୋଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇବାନେଇ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମଗାଯାଇଥିଲା। ଏଥିରେ ଅବହେଳା କରିବା ଯୋଗୁ ଗତ ୮ ଜୁଲାଇରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘମାନେ ନିଜ ନିଜ ସ୍ଥାନରେ ଆନ୍ଦୋଳନ କରିବା ସହିତ ରାଜ୍ୟପାଳଙ୍କ ପାଖକୁ ସ୍ମାରକପତ୍ର ପଠେଇଥିଲେ। ଏହା ସତ୍ତ୍ବେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିରବତା ଅବଳମ୍ବନ କରିଛନ୍ତି। ତେଣୁ, ଆଜିର ବୈଠକରେ ଏଭଳି ଚରମ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍‌ଟେମ୍ବର ପ୍ରଥମ ସପ୍ତାହରେ ଆଲୋଚନା ପରେ ରାଜଧାନୀକୁ ଯିବା ପାଇଁ ସମୟ ଓ ତାରିଖ ଧାର୍ଯ୍ୟ କରିବାକୁ ସ୍ଥିର ହୋଇଛି।

ଆଜିର ବୈଠକରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସହ-ଆବାହକ ପ୍ରମୋଦ ଦାଶ, ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ,  ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ପଣ୍ଡାଙ୍କ ସମେତ ଝାରସୁଗୁଡ଼ାର ତ୍ରିନାଥ ଗୁଆଲ, ରଘୁ ପଟେଲ, ଦେବଗଡ଼ର ଦିଲୀପ ଗୁରୁ, କୁଚିଣ୍ଡାର ପ୍ରମୋଦ ଛୁରିଆ, ଅତାବିରାର ଶାନ୍ତନ୍ତୁ ମିଶ୍ର, ସୁନ୍ଦରଗଡ଼ର ପି.କମଲସେନ୍, ବୌଦ୍ଧର ତାରିଣୀ ମହାପାତ୍ର, ଶାନ୍ତନ୍ତୁ ମହାପାତ୍ର, ବରପାଲିର ରବୀନ୍ଦ୍ର ପଣ୍ଡା, ପଦ୍ମପୁରର ଗଉଁତିଆ ସାହୁ, ସମ୍ବଲପୁରର ସୁରେଶ୍ବର ମିଶ୍ର, ସରୋଜ ଦାଶ, ପ୍ରଦୀପ ବହିଦାର, ପ୍ରମୋଦ ରଥ, ଅତନୁ ଘୋଷ, ମନୋରଂଜନ ଦାଶ, ଚନ୍ଦ୍ର ମହାନ୍ତି, ରବିରଂଜନ ପୂଝାରୀ, ସହ ସଂପାଦକ ମହେନ୍ଦ୍ର ବଢ଼େଇ ପ୍ରମୁଖଙ୍କ ସହିତ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ବ୍ୟାପକ ଆଲୋଚନା ପରେ ବି ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସ୍ଥିର କରାଯାଇଛି। ଦାବି ହାସଲ ପାଇଁ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର