କଟକ: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ୍ (ଓଏସସସି) ପକ୍ଷରୁ ଅନୁଷ୍ଠିତ ମିଳିତ ଟେକନିକାଲ ସର୍ଭିସେସ୍ ରିକ୍ରୁଟମେଣ୍ଟ ପରୀକ୍ଷା-୨୦୨୩ (ସିଟିଏସଆରଇ) ଉପରୁ ଆଂଶିକ ଅଙ୍କୁଶ ହଟିଛି। କନିଷ୍ଠ ଯନ୍ତ୍ରୀ (ସିଭିଲ) ଓ (ମେକାନିକାଲ) ପଦକୁ ବାଦ ଦେଇ ଅନ୍ୟ ପଦବି ପାଇଁ ଚୟନ ପ୍ରକ୍ରିୟା ଜାରି ରଖିବାକୁ କମିସନକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ପୂର୍ବରୁ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। କନିଷ୍ଠ ଯନ୍ତ୍ରୀ (ସିଭିଲ ଓ ମେକାନିକାଲ) ପଦକୁ ନେଇ ବିବାଦ ରହିଥିବା ବେଳେ ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ କମିସନ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା। ପରୀକ୍ଷା ଉପରେ ରହିତାଦେଶ ଜାରି କରାଯାଇଥିବାରୁ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନାହିଁ। ସମସ୍ତ ଆବେଦନକାରୀଙ୍କୁ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦେଇ ପରୀକ୍ଷା ପ୍ରକ୍ରିୟା ଆଗେଇବା ପାଇଁ ଅନୁମତି ଦିଆଯାଉ ବୋଲି କମିସନ ତରଫରୁ ପ୍ରସ୍ତାବ ଦିଆଯାଇଥିଲା।
ଅଦାଲତଙ୍କ ବିନା ଅନୁମତିରେ ଆବେଦନକାରୀଙ୍କ ପରୀକ୍ଷାଫଳ ପ୍ରକାଶ କରାଯିବ ନାହିଁ। କିନ୍ତୁ ଏପରି ପ୍ରସ୍ତାବକୁ ଆବେଦନକାରୀ ଓ ଅନ୍ୟ ପକ୍ଷଙ୍କ ତରଫରୁ ବିରୋଧ କରାଯାଇଥିଲା। ଚୟନ ପ୍ରକ୍ରିୟାକୁ ଏହା ଅଧିକ ଜଟିଳ କରିବ ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଡିଗ୍ରିଧାରୀ ଇଂଜିନିୟରଙ୍କୁ କନିଷ୍ଠ ଯନ୍ତ୍ରୀ (ସିଭିଲ ଓ ମେକାନିକାଲ) ପଦ ପାଇଁ ଅନ୍ତର୍ଭୁକ୍ତ ପ୍ରସଙ୍ଗରେ ୨୦୨୨ରୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଗତ ଜାନୁଆରି ୧୦ର ନିର୍ଦ୍ଦେଶରେ ପରିବର୍ତ୍ତନ କରି ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଚୟନ ପ୍ରକ୍ରିୟା ପ୍ରଂସଗରେ କମିସନ ଆଗେଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ କନିଷ୍ଠ ଯନ୍ତ୍ରୀ (ସିଭିଲ ଓ ମେକାନିକାଲ) ପଦକୁ ବାଦ ଦେଇ ଅନ୍ୟ ପଦବି ସଂକ୍ରାନ୍ତୀୟ ଚୟନ ପ୍ରକ୍ରିୟା ପ୍ରସଂଗରେ କମିସନ ଆଗେଇବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଷ୍ଟାଫ ସିଲେକ୍ସନ କମିସନ ତରଫରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୩, ଡିସେମ୍ବର ୧୮ରେ କମିସନ ତରଫରୁ ବିଭିନ୍ନ ସରକାରୀ ବିଭାଗରେ କନିଷ୍ଠ ମାଇନିଂ ଅଫିସର, କନିଷ୍ଠ ଏମଭିଆଇ, କନିଷ୍ଠ ଯନ୍ତ୍ରୀ (ସିଭିଲ), କନିଷ୍ଠ ଯନ୍ତ୍ରୀ (ମେକାନିକାଲ), ଟ୍ରେସର, ଲାବୋରେଟୋରି ଆସିଷ୍ଟାଣ୍ଟ, ଆଟେଣ୍ଡାଣ୍ଟ ପଦ ପୂରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦୁଇ ବର୍ଗର କନିଷ୍ଠ ଯନ୍ତ୍ରୀ ପଦ ପାଇଁ ସିଭିଲ ଇଂଜିନିୟରିଂ ଓ ମେକାନିକାଲ ଇଂଜିନିୟରିଂରେ ପ୍ରାର୍ଥୀ ଡିପ୍ଲୋମା ପାସ କରିଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କନିଷ୍ଠ ଯନ୍ତ୍ରୀ ପଦ ପାଇଁ ଡିଗ୍ରିଧାରୀ ଯନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଉ ବୋଲି ଦର୍ଶାଇ ହାଇକୋର୍ଟରେ କମଲ କୁମାର ବେହେରା ଓ ଅନ୍ୟମାନଙ୍କ ତରଫରୁ ୪୫ରୁ ଅଧିକ ରିଟ୍ ପିଟିସନ ଦାଖଲ ହୋଇଥିଲା। ଆବେଦନକାରୀ ଶ୍ରୀ ବେହେରାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/high-court-new-india-express.jpg)
