ଏସ୍‌ଏସ୍‌ବିର ନିରବତା ଉପରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ : ‘ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ’

ଇତିହାସ ଅଧ୍ୟାପକ ନିଯୁକ୍ତି ବିବାଦ; ଡିସେମ୍ବର ୩ର ରାୟ ରଦ୍ଦ
ସାନି ମେଧା ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ

କଟକ : ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍‌ଏସ୍‌ବି)କୁ ଆଉ ସାନି ପରୀକ୍ଷା କରିବାକୁ ପଡ଼ିବ ନାହିଁ। ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ର ଲିଖିତ ପରୀକ୍ଷା ରଦ୍ଦ କରିବା ସହିତ ସାନି ପରୀକ୍ଷା ୬ ସପ୍ତାହ ଭିତରେ କରିବା ପାଇଁ ହାଇକୋର୍ଟର ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୧୯, ଡିସେମ୍ବର ୩ର ରାୟକୁ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରଦ୍ଦ କରିଛନ୍ତି। ସାନି ପରୀକ୍ଷା ଅନାବଶ୍ୟକ ବୋଲି ଖଣ୍ଡପୀଠ ମତ ଦେବା ସହିତ ବିଶେଷଜ୍ଞ କମିଟି ରିପୋର୍ଟ ଅନୁସାରେ, ସଂଶୋଧିତ ପ୍ରକ୍ରିୟା ଆଧାରରେ ଏସ୍‌ଏସ୍‌ବି ସାନି ମେଧା ତାଲିକା ପ୍ରସ୍ତୁତ କରି ଏ ସଂପର୍କିତ ନିଯୁକ୍ତି ପରୀକ୍ଷା ଫଳାଫଳ ପ୍ରକାଶ କରି ପାରିବ ବୋଲି ନି‌ର୍ଦ୍ଦେଶ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ମାମଲାରେ ହାଇକୋର୍ଟ ଏସ୍‌ଏସ୍‌ବିର ‘ଶୂନ୍ୟ ସହନଶୀଳତା’ ଉପରେ ପ୍ରଶ୍ନ ଉଠାଇବା ସହିତ ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା କେତେକ ପ୍ରଶ୍ନ ତ୍ରୁଟିପୂର୍ଣ୍ଣ ଥିବାବେଳେ ଆଉ କେତେକକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ବିଶେଷଜ୍ଞ କମିଟିର ମତାମତ ଲୋଡ଼ା ଯାଇଥିଲା। ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ୧୧ଟି ପ୍ରଶ୍ନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସଂପୂର୍ଣ୍ଣ ନମ୍ବର ପ୍ରଦାନ କରାଯାଇଥିଲା। ଏଥିସହିତ ସ୍ବଚ୍ଛତା ରକ୍ଷା ପାଇଁ ସଂଶୋଧିତ ଉତ୍ତର ତଥ୍ୟ ମଧ୍ୟ ପ୍ରକାଶ କରାଯାଇଥିଲା। ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ପୂର୍ବର ଦ୍ବନ୍ଦ୍ବ ଦୂର କରିବା ପାଇଁ ଏସ୍‌ଏସ୍‌ବି ବି ଯଥେଷ୍ଟ ପଦକ୍ଷେପ ନେଇଥିଲା। ଏଭଳି ସ୍ଥିତିରେ ସାନି ପରୀକ୍ଷା ଅନାବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ସାନି ପରୀକ୍ଷା ଦ୍ବାରା ଅଯଥା ପ୍ରାର୍ଥୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେବ। ଏସ୍‌ଏସ୍‌ବି ସମସ୍ୟାର ସମ୍ମୁଖୀନ ହେବ। ରାଜକୋଷରୁ ମଧ୍ୟ ଅର୍ଥ ବ୍ୟୟ ହେବ। ଅନ୍ୟପକ୍ଷରେ ପ୍ରାର୍ଥୀଙ୍କ ଯୋଗ୍ୟତା ପରଖିବା ପାଇଁ ଅନୁଷ୍ଠିତ ପରୀକ୍ଷାରେ ପଡୁଥିବା ପ୍ରଶ୍ନ ନେଇ କୌଣସି ଦ୍ବନ୍ଦ୍ବ ବା ସନ୍ଦେହ ରହିବା ଉଚିତ ନୁହେଁ। ଏହି ପ୍ରସଂଗରେ ନିଯୁକ୍ତି ଏଜେନ୍ସି ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିବା ଉଚିତ। ଏହି ମାମଲାରେ ପ୍ରଶ୍ନ ପ୍ରସ୍ତୁତକାରୀ ବ୍ୟାପକ ଦ୍ବନ୍ଦ୍ବ ସୃଷ୍ଟି କରିଥିବା ବେଳେ ଏସଏସବି ସଂପୂର୍ଣ୍ଣ ଭାବେ ଚୁପ୍ ରହିବା ଉଚିତ ନୁହେଁ। ତ୍ରୁଟି କରିଥିବା ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତା ରକ୍ଷା କରିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ରେ ଏସ୍‌ଏସ୍‌ବି ପକ୍ଷରୁ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୮୩୩ଟି ଅଧ୍ୟାପକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିମଧ୍ୟରେ ୮୧ଟି ଇତିହାସ ଅଧ୍ୟାପକ ପଦ ଥିଲା। ୨୦୧୯ ମାର୍ଚ୍ଚ ୧୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାରେ ୧୬୫ଟି ପ୍ରଶ୍ନ ପଡିଥିବା ବେଳେ ଠିକ୍ ଉତ୍ତର ପାଇଁ ପ୍ରାର୍ଥୀଙ୍କୁ ୧ ମାର୍କ ମିଳିବ ଓ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟିବ (ନେଗେଟିଭ୍ ମାର୍କ ମିଳିବ) ବୋଲି ବ୍ୟବସ୍ଥା ରହିଥିଲା। ପରୀକ୍ଷାରେ ପଡ଼ିଥିବା ୧୬୫ଟି ପ୍ରଶ୍ନ ମଧ୍ୟରୁ ୩୧ଟି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ପ୍ରାର୍ଥୀ ଅଭିଯୋଗ କରିଥିଲେ। ୬ଟି ଭୁଲ ପ୍ରଶ୍ନ ଥିଲା। ତାଛଡ଼ା, ୨୫ଟି ପ୍ରଶ୍ନ ଭିତରୁ କେତେକ ପାଠ୍ୟକ୍ରମ ବାହାରୁ ଆସିଥିବା ବେଳେ ଅନ୍ୟ କେତେକ ପ୍ରଶ୍ନରେ ବନାନ ଭୁଲ ରହିଥିଲା। ଏ ନେଇ କେତେକ ପ୍ରାର୍ଥୀ ଏସ୍‌ଏସ୍‌ବି ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୨୦୧୯ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ଲିଖିତ ପରୀକ୍ଷାକୁ ରଦ୍ଦ କରିଥିଲେ।

ମାର୍ଚ୍ଚ ୧୦ର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାକ୍ଷାତକାରରେ ବସିଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ କେତେକ ପ୍ରାର୍ଥୀ ଏହି ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଗୌତମ ମିଶ୍ର, ଏସ୍.ଏସ୍.ଦାସ, ଆଇନଜୀବୀ ସମୀର କୁମାର ମିଶ୍ର ଓ ଶାଶ୍ବତ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର