ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ତାଲିମପ୍ରାପ୍ତଙ୍କ ଦରମା ପ୍ରସଂଗ, ସରକାରଙ୍କ ଏସ୍‌ଏଲ୍‌ପି ଖାରଜ

କଟକ : ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ କ୍ଷେତ୍ରରେ ‘ତାଲିମପ୍ରାପ୍ତ ଗ୍ରାଜୁଏଟ୍ ସ୍କେଲ୍‌ ଅଫ୍ ପେ’ ଲାଗୁ କରିବାକୁ ହାଇକୋର୍ଟ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ହାଇକୋର୍ଟଙ୍କ ୨୦୧୯, ଏପ୍ରିଲ ୩୦ର ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ଜଷ୍ଟିସ୍‌ ମୋହନ ଏମ. ଶାନ୍ତାନାଗୌଡାର ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଏସ୍‌ଏଲ୍‌ପିକୁ ଖାରଜ କରିଛନ୍ତି। ଫଳରେ, ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତଙ୍କ ଦରମା ଲାଗୁ ‌ପାଇଁ ପଥ ପରିଷ୍କାର ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆବେଦନକାରୀ ଶିକ୍ଷକଙ୍କ ସପକ୍ଷରେ ୨୦୧୬, ନଭେମ୍ବର ୨୪ରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ସରକାର ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିଲେ। ୨୦୧୯, ଏପ୍ରିଲ ୩୦ରେ ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ରିଟ୍ ଅପିଲର ଶୁଣାଣି କରି ଏହାକୁ ଖାରଜ କରିଥିଲେ ଓ ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟକୁ କାଏମ ରଖିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରାଜୁଏଟ ସ୍କେଲ ଅଫ୍ ପେ ପ୍ରଦାନ ପାଇଁ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ। ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ପ୍ରକାଶିତ ରାୟ‌େର ସ୍ପଷ୍ଟ କରାଯାଇଥିଲା।

ଏହି ପ୍ରସଂଗକୁ ନେଇ ହାଇକୋର୍ଟରେ ଶତାଧିକ ମାମଲା ଦାୟର ହୋଇଥିଲା। ହାଇକୋର୍ଟରେ ଶିକ୍ଷକ ରାଧାରାଣୀ ସାମଲ ଓ ଅନ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋତିର୍ମୟ ଗୁପ୍ତ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର