ନିର୍ବାଚନୀ ମାମଲା: ହାଇକୋର୍ଟରେ ନବଙ୍କୁ ଆଶ୍ୱସ୍ତି, ତାରାଙ୍କୁ ଝଟ୍‌କା

କଟକ: ଆଜି ହାଇକୋର୍ଟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ମାମଲାରେ ରାୟ ଶୁଣାଇଛନ୍ତି। ହାଇକୋର୍ଟ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଅନ୍ୟତମ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି। ହାଇକୋର୍ଟଙ୍କ ଏହି ରାୟ ଦ୍ୱାରା ପୂର୍ବତନ ବାଚସ୍ପତି କିଶୋର ନାୟକଙ୍କୁ ମଧ୍ୟ ଝଟକା ଲାଗିଛି। ହାଇକୋର୍ଟ କିଶୋର ମହାନ୍ତିଙ୍କ ଆବେଦନକୁ ଖାରଜ କରି ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ହାଇକୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ନିର୍ବାଚନ ନେଇ ପୂର୍ବତନ ବାଚସ୍ପତି ତଥା ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ମହାନ୍ତି କୋର୍ଟରେ ଦର୍ଶାଇଥିଲେ ଯେ ଏହି ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ସହିତ ନିର୍ବାଚନୀ ପ୍ରକିୟାରେ ଅନୀୟମିତତା ହୋଇଛି। ଏଣୁ ବିଧାୟକ ଭାବେ ଶ୍ରୀ ଦାସଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ତେବେ ଶ୍ରୀ ମହାନ୍ତି ହାଇକୋର୍ଟରେ ବିଧାୟକ ଶ୍ରୀ ଦାସଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ କରିବା ପରେ ବିଧାୟକ ଶ୍ରୀ ଦାସ ମଧ୍ୟ ହାଇକେଶର୍ଟର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ମହାନ୍ତିଙ୍କ ଆବେଦନ ଉପରେ ଆପତ୍ତି ଦର୍ଶାଇଥିଲେ ବିଧାୟକ ନବ ଦାସ। ବିଧାୟକ ଶ୍ରୀ ଦାସ ସିପିସିର ଅର୍ଡର ୭, ରୁଲ ୧୧ ଅନୁଯାୟୀ ଏକ ପିଟିସନ ଦାୟର କରି ଶ୍ରୀ ମହାନ୍ତିଙ୍କ ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ହାଇକୋର୍ଟରେ ନିବେଦନ କରିଥିଲେ। ତେଣୁ ତାଙ୍କ ଆବେଦନକୁ ଗ୍ରହଣ କରାଯାଇ ଶ୍ରୀ ମହାନ୍ତିଙ୍କ ଆବେଦନ ଖାରଜ ପାଇଁ ଶ୍ରୀ ଦାସ ହାଇକୋର୍ଟଙ୍କୁ ଅନୁରୋଧ କରିଥଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ବିଧାୟକ ଶ୍ରୀ ଦାସଙ୍କ ନିର୍ବାଚନୀ ପିଟିସକୁ ଗ୍ରହଣ କରିବା ସହିତ କିଶୋର ମହାନ୍ତିଙ୍କ ନିର୍ବାଚନୀ ମାମଲାକୁ ଖାରଜ କରି ଦେଇଛନ୍ତି।

ହାଇକୋର୍ଟରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ନିର୍ବାଚନୀ ମାମଲା ଖାରଜ, ବିଧାୟକ ନବ ଦାସଙ୍କୁ ଅଶ୍ୱସ୍ତି। ସେହିପରି ଅନ୍ୟ ଏକ ମାମଲାରେ ହାଇକୋର୍ଟ ବିଧାୟକ ତାରା ବାହିନୀପତିଙ୍କ ପିଟିସନ୍‌କୁ ଖାରଜ କରି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଦ୍ୱାରା ଦାୟର ନିର୍ବାଚନୀ ମାମଲାର ଶୁଣାଣି ଜାରି ରହିବ ବୋଲି ଘୋଷଣା କରିଛନ୍ତି

ସେହିପରି ଅନ୍ୟ ଏକ ମାମଲାରେ କୋରାପୁଟ୍‌ ଜିଲ୍ଲା ଜୟପୁର ନିର୍ବାଚନୀ ମଣ୍ଡଳିର ପରାଜିତ ବିଜେଡି ପ୍ରାର୍ଥୀ ରବିନାରାୟଣ ନନ୍ଦ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାମରେ ମଧ୍ୟ ହାଇକୋର୍ଟରେ ଏକ ନିର୍ବାଚନୀ ମାମଲା ରୁଜୁ କରିଥିଲେ। ଶ୍ରୀ ନନ୍ଦଙ୍କ ଦ୍ୱାରା ଦାୟର ଏହି ମାମଲାରେ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ବିଧାୟକ ଶ୍ରୀ ବାହିନୀପତି ହାଇକୋର୍ଟରେ ଅର୍ଡର ୭, ରୁଲ ୧୧ ଅନୁଯାୟୀ ଏକ ପିଟିସନ ଦାୟର କରି ଶ୍ରୀ ନନ୍ଦଙ୍କ ଦ୍ୱାରା ଦାୟର ମାମଲା ଗ୍ରହଣଯୋଗ୍ୟ ନୁହେଁ ବୋଲି ଆବେଦନ କରିଥିଲେ। ତେବେ ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହି ମାମଲାର ଶୁଣାଣି କରି ବିଧାୟକ ଶ୍ରୀ ବାହିନୀପତିଙ୍କ ପିଟିସନ୍‌କୁ ଖାରଜ କରିଦେବା ସହିତ ପରାଜିତ ପ୍ରାର୍ଥୀ ଶ୍ରୀ ନନ୍ଦଙ୍କ ଦ୍ୱାରା ଦାୟର ପିଟିସନ୍‌ ଅନୁଯାୟୀ ନିର୍ବାଚନୀ ମାମଲାର ଶୁଣାଣି ଜାରି ରହିବ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର