ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

କଟକ: ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୩ଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଟିଟିଲାଗଡ, ନବରଙ୍ଗପୁର ଓ ଯାଜପୁର ଟାଉନ ଥାନାରେ ସିସୋର ଠକେଇ ନେଇ ୨୦୧୩ରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୬ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ପୂର୍ବରୁ ଶିମିଳିଗୁଡା, କୋରାପୁଟ ଟାଉନ ଓ ଜୟପୁର ଥାନାରେ ସିସୋର ଠକେଇ ନେଇ ୨୦୧୩ରେ ରୁଜୁ ୩ଟି ମାମଲାରେ ହାଇକୋର୍ଟ ଶ୍ରୀ ଦାଶଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହାପରେ ୨୦୧୭, ଅଗଷ୍ଟ ୧୮ରେ ସିସୋର ଠକେଇ ନେଇ ସିବିଆଇ ରୁଜୁ କରିଥିବା ମାମଲାରେ ମଧ୍ୟ ଶ୍ରୀ ଦାଶଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଏହା ସତ୍ୱେ ସେ ଜେଲ୍‌ରୁ ବାହାରିବା ସମ୍ଭବ ହୋଇ ନଥିଲା। ଟିଟିଲାଗଡ, ନବରଙ୍ଗପୁର ଓ ଯାଜପୁର ଥାନାରେ ସିସୋର ଠକେଇ ନେଇ ରହିଥିବା ପୃଥକ ମାମଲାରେ ସେ ବିଚାର ବିଭାଗୀୟ ହାଜତରେ ରହିଥିବା ଦୃଷ୍ଟିରୁ ଶ୍ରୀ ଦାଶଙ୍କର ଜେଲ୍‌ରୁ ମୁକୁଳିବା ସମ୍ଭବ ହୋଇ ନଥିଲା। ୨୦୧୭, ଅକ୍ଟୋବର ୨୩ରେ ପୁଣି ଶ୍ରୀ ଦାଶ ଏହି ୩ଟି ମାମଲାରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାମିନ ଆବେଦନର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ସିସୋର ଘଟଣାର ତଦନ୍ତ କରିଥିଲା। ସିସୋର ବିରୋଧରେ ରାଜ୍ୟ ଭିତରେ ଓ ଦେଶର ଅନ୍ୟ ସ୍ଥାନରେ ଥିବା ସମସ୍ତ ଅଭିଯୋଗର ତଦନ୍ତ କରି ସିବିଆଇ ଚାର୍ଜସିଟ ଦାଖଲ କରିଥିବା ବେଳେ ଏହି ୩ଟି ମାମଲାର ପୃଥକ ବିଚାର ହେବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଗୋଟିଏ ଅପରାଧ ପାଇଁ ଜଣଙ୍କ ବିରୋଧରେ ଏକାଧିକ ମାମଲା ଚାଲିପାରିବ ନାହିଁ। ଏପରି ପରିସ୍ଥିତିରେ ଆବେଦନକାରୀଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ବୋଲି ସେ ଦର୍ଶାଇଥିଲେ। ଏହି ତିନିଟି ମାମଲାର ତଦନ୍ତ କାହିଁକି ସିବିଆଇ କରି ନଥିଲା, ସେ ସଂପର୍କରେ ପକ୍ଷ ରଖିବାକୁ ଖଣ୍ଡପୀଠ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ବେଳେ ସିବିଆଇ ଏ ପ୍ରସଂଗରେ ଜବାବ ରଖିଥିଲାା ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୩ଟି ମାମଲାର କେସ୍‌ ଡାଏରି ଦାଖଲ କରାଯାଇଥିଲା।

ସୂଚନାଯୋଗ୍ୟ, ସିସୋର ଠକେଇ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ମୁମ୍ବାଇରୁ ୨୦୧୩, ଜୁନ୍‌ ୧୯ରେ ପ୍ରଶାନ୍ତଙ୍କୁ ଗିରଫ୍‌ କରିଥିଲା।

ସମ୍ବନ୍ଧିତ ଖବର