ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ : ଜାଗି, ବୈଜୟନ୍ତଙ୍କ ଅଡ଼ୁଆ ବଢ଼ିଲା

କଟକ : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (ଇଓଡବ୍ଳୁ) ଥାନା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହିତ ଏହି ମାମଲାରେ ପୂର୍ବର ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଆଜି ଉଠାଇ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଆଜି ଜାଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନଭେମ୍ବର ୧୩ରେ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏଥିସହିତ ନଭେମ୍ବର ୫ରେ ଜାଗିମଙ୍ଗତ ଓ ବୈଜୟନ୍ତଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ପ୍ରଦାନ କରିଥିବା ଅନ୍ତରୀଣ ଆଦେଶ ରାୟ ପ୍ରକାଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆଜି ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ଚାଲିଥବା ଦୃଷ୍ଟିରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ସହିତ ମାମଲାକୁ ଖାରଜ କରିଛନ୍ତି। ଏଥିସହିତ ମାମଲାରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସାରୁଆ ଜମି ପ୍ରସଂଗ ସଂପର୍କିତ ଇଓଡବ୍ଲୁ ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌, ମନୋରଂଜନ ଷଡଙ୍ଗୀ ଓ ଶିବପ୍ରସାଦ ହରିଚନ୍ଦନଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରଥମେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ପ୍ରଥମରୁ ଜାଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଆବେଦନକାରୀ ନଥିଲେ। ନଭେମ୍ବର ୫ରେ ମାମଲାର ଶୁଣାଣି ସମୟରେ ଜାଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌ର ପ୍ରମୋଟର ହୋଇଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀର ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା। ଏଥିସହିତ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ। ନଭେମ୍ବର ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଣ୍ଡା ଓ ଶ୍ରୀମତୀ ପଣ୍ଡାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଥିଲେ। ଏହାପରେ ନଭେମ୍ବର ୧୩ରେ ହାଇକୋର୍ଟରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ମାମଲାର ଦ୍ବିତୀୟ ଆବେଦନକାରୀ ଥିବା ମନୋରଂଜନ ଷଡ଼ଙ୍ଗୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସେ ଇତିମଧ୍ୟରେ ଓଡ଼ିଶା ଇନଫ୍ରାଟେକ୍ ସଂସ୍ଥାର ସିଇଓ ପଦରୁ ଓ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇସାରିଛନ୍ତି। ସେ ଆଉ କମ୍ପାନିର ପ୍ରତିନିଧିତ୍ବ କରିବାକୁ ଚାହୁଁ ନାହାନ୍ତି। ସେ ମାମଲାରେ ଆବେଦନକାରୀ ଭାବେ ଆଉ ଅଗେଇବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ଖଣ୍ଡପୀଠ ଏହି ମାମଲାରୁ ଶ୍ରୀ ଷଡ଼ଙ୍ଗୀଙ୍କୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୩ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିବା ସହିତ ପୂର୍ବରୁ ନଭେମ୍ବର ୫ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ରାୟ ପ୍ରକାଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାରେ ରାଜ୍ୟ ସରକାର, ଇଓଡବ୍ଲୁ ଓ ରବୀନ୍ଦ୍ର ସେଠୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏଜିଏ ଜ୍ୟୋତି ପ୍ରକାଶ ପଟ୍ଟନାୟକ ଏବଂ ରବୀନ୍ଦ୍ର ସେଠୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ସୌମ୍ୟ ରଂଜନ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର

Comments are closed.