କଟକ: ପରିବହନ ବିଭାଗ ଅଧୀନରେ ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ୧୨-୧୪ ବର୍ଷ ଧରି କାର୍ଯ୍ୟ କରୁଥିବା ଏପରି ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ୩ ମାସ ଭିତରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସିଟି ଜିଏସଟି ବିଭାଗର ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ଯତୀନ କୁମାର ଦାସ ମାମଲାରେ ରହିଥିବା ରାୟ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଚାକିରି ନିୟମିତ ପ୍ରସଂଗରେ ରଶ୍ମୀରେଖା ଦାଶ ମାମଲା ରାୟ ଆଧାରରେ ଆବେଦନକାରୀଙ୍କ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଚରିତା ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ତିନି ଶହରୁ ଅଧିକ ଆରଟିଓରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅତୁଲ ତ୍ରିପାଠୀ ଓ ଅମିତ ସାହୁ ସହାୟତା କରୁଥିଲେ।