କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇନଜୀବୀଙ୍କୁ ଆକ୍ରମଣ ମାମଲା

କଟକ: ଆଇନଜୀବୀଙ୍କୁ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ କଟକ ଡିସିପିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଥିଲା। ଏଥି ସହିତ ତଦନ୍ତକାରୀ ଅଧିକାରୀ ମଧ୍ୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। ଶୁଣାଣି ସମୟରେ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଚାହିଁଲେ ଆବେଦନକାରୀ ପ୍ରତିଜବାବ ଦାଖଲ କରି ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ଆକ୍ରମଣ ଘଟଣାକୁ ନେଇ ଗୋଟିଏ ମାମଲା କଟକ ବାର୍‌ ଆସୋସିଏସନ୍‌ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶଚନ୍ଦ୍ର ଜେନା ଦାୟର କରିଥିବା ବେଳେ ଅନ୍ୟଟି ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ସବ୍ୟସାଚୀ ମହାପାତ୍ର ଦାୟର କରିଥିଲେ। ଘଟଣାର ବିଚାରବିଭାଗୀୟ ତଦନ୍ତ ହାଇକୋର୍ଟର କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା, ଆକ୍ରମଣକାରୀଙ୍କୁ ଗିରଫ କରିବା, କ୍ଷତିପୂରଣ ଦେବା ଏବଂ ଆଇନଜୀବୀଙ୍କୁ ସୁରକ୍ଷା ଦେବା ପାଇଁ ମାମଲାରେ ଆବେଦନ କରାଯାଇଥିଲା। ଅନ୍ୟପକ୍ଷରେ ଆଇନଜୀବୀମାନେ ଆନ୍ଦୋଳନ ଜାରି ରହିଥିବା ବେଳେ ସେପ୍ଟେମ୍ବର ୫ ତାରିଖ ଦିନ ୧ଟାରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ। ପୂର୍ବରୁ ଏହି ଘଟଣାର ପ୍ରାଥମିକ ତଦନ୍ତ କରି କମିସନରେଟ୍‌ ପୁଲିସ ୩ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ଜଣେ ଗୃହରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତଙ୍କ ଗିରଫ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର