ଢିଙ୍କିଆ ପ୍ରସଙ୍ଗରେ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ, ୨୭ରେ ପରବର୍ତ୍ତୀ ଶୁଣାଣି

କଟକ: ଢିଙ୍କିଆ ପ୍ରସଙ୍ଗରେ ଓଡ଼ିଶା ହା‌ଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଢ଼ିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ହାଇକୋର୍ଟ ଗୃହ ବିଭାଗକୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ରେ ପରବର୍ତ୍ତୀ ଶୁଣାଣି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣାର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ପ୍ରସଂଗକୁ ନେଇ ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାୟର ହୋଇଛି। ଗୋଟିଏ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଓ ଅନ୍ୟଟି ହାଇକୋର୍ଟର ତିନି ଜଣ ଜଣାଶୁଣା ଆଇନଜୀବୀଙ୍କ ପକ୍ଷରୁ ଦାୟର କରାଯାଇଛି। ଢିଙ୍କିଆ ବାସିନ୍ଦାଙ୍କୁ ପୁଲିସ ନିର୍ଯାତନା ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ସାମାଜିକ କର୍ମୀ, ସିଭିଲ ସୋସାଇଟି କର୍ମୀଙ୍କୁ ନେଇ କମିଟି ଗଠନ ଲାଗି ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣଙ୍କ ତରଫରୁ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ଦର୍ଶାଯାଇଛି ଯେ ଗତ ୧୪ ତାରିଖ ଦିନ ଢିଙ୍କିଆରେ ପାନବରଜ ମାପଚୁପ ସମୟରେ ପୁଲିସ ଓ ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କ କଥା ନ ଶୁଣି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସାଧାରଣ ଲୋକଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା। ଏଥିରୁ ଶିଶୁ ଓ ମହିଳା ମଧ୍ୟ ବାଦ୍‌ ପଡ଼ିନଥିଲେ। ବହୁ ଗ୍ରାମବାସୀ ଆହତ ହୋଇଥିଲେ। ପୁଲିସ ହେପାଜତରେ ମଧ୍ୟ କେତେକ ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହି ଘଟଣା ପରେ ଢିଙ୍ଗିଆ ଓ ଆଖପାଖ ଅଞ୍ଚଳରେ ପୁଲିସ ଛାଉଣି କରାଯାଇଥିଲା। ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା କରାଯାଇ ନଥିଲା। ସାଧାରଣ ଲୋକଙ୍କ ଚଳାଚଳ ଉପରେ ଏକ ପ୍ରକାର କଟକଣା କରାଯାଇଥିଲା। ଏପରି ଘଟଣାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ କମିଟି ଦ୍ବାରା ତଦନ୍ତ କରାଯାଉ। ଘଟଣାରେ ଆହତ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା ସହିତ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଢିଙ୍ଗିଆ ଓ ଏହାର ଆଖପାଖ ଅଞ୍ଚଳରୁ ପୁଲିସ ଫୋର୍ସ ପ୍ରତ୍ୟାହାର କରାଯାଉ ବୋଲି କୁନି ମଲ୍ଲିକଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର