କଟକ : ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅନ୍ତର୍ଗତ କୋରେଇ ବ୍ଲକର କ୍ଷୀରୋ ଗ୍ରାମର ଗୋଚର କିସମ ଜମିରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ୟାମସୁନ୍ଦର ବାଣ୍ଠ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଯାଜପୁର ଜିଲ୍ଲାପାଳ, ବ୍ୟାସନଗର ତହସିଲଦାର ଓ ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ତୃତୀୟ ସପ୍ତାହକୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ୟାସନଗର ତହସିଲ ଅନ୍ତର୍ଗତ କ୍ଷୀରୋ ଗ୍ରାମରେ ଥିବା ଗୋଚର କିସମ ଜମିରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ଗ୍ରାମର ବାସିନ୍ଦାମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବା ବେଳେ ରୋଜଗାର ପାଇଁ ଚାଷ ଓ ପଶୁପାଳନ ଉପରେ ନିର୍ଭର କରୁଛନ୍ତି। ଗ୍ରାମର ଗୋଚର ଜମି ଉପରେ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏହାକୁ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବ୍ୟବହାର କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଯାଜପୁର ଆରଡବ୍ଲୁଏସଏସ ଡିଭିଜନ ତରଫରୁ ମୂଳାପାଳ ଠାରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟାସନଗର ତହସିଲଦାରଙ୍କୁ ଚିଠି ଲେଖା ଯାଇଥିଲା। କିନ୍ତୁ ଠିକାଦାରଙ୍କ ଇଚ୍ଛା ଅନୁସାରେ କ୍ଷୀରୋ ଗ୍ରାମରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଏଥି ପାଇଁ ଶତାଧିକ ଗଛ କଟାଯାଇଛି। ଜେସିବି ଲାଗଇ କଟା ଯାଇଥିବା ଗଛର ମୂଳ ଉଠାଯିବା ସହିତ ମାଟି ଖୋଳା ଯାଉଛି। ଗୋଚର ଜମିରେ ବିଭିନ୍ନ ପ୍ରକାର କାର୍ଯ୍ୟ ଚାଲିଥିବା ବେଳେ ପ୍ରକଳ୍ପ ସଂପର୍କିତ ସୂଚନା ଫଳକ ଲଗାଯାଇ ନାହିଁ। ଏହି ଗୋଚର ଜମିର କିସମ ପରିବର୍ତ୍ତନ ନ କରି ଏପରି ନିର୍ମାଣ କାର୍ଯ୍ୟ କରାଯାଉଛି। ସର୍ବସାଧାରଣଙ୍କ ସ୍ବାର୍ଥକୁ ଅଣଦେଖା କରି ଏପରି ନିର୍ମାଣ କରାଯାଉଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।