ଆପାର୍ଟମେଣ୍ଟ ମାଲିକାନା ସଂଶୋଧିତ ନିୟମାବଳୀର ବୈଧତାକୁ ‌ଚାଲେଞ୍ଜ, ହାଇକୋର୍ଟଙ୍କ ଜବାବ ତଲବ

କଟକ : ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ, ଆଇନ ସଚିବ, ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍, ଓଡ଼ିଶା ରିଅଲ୍‌ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି ସଚିବଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ମାମଲାରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିଅଲ୍‌ ଇଷ୍ଟେଟ ରେଗୁଲେସନ୍ ଆଣ୍ଡ୍ ଡେଭଲପମେଣ୍ଟ୍‌ ଆଇନ (ରେରା), ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ ବିରୁଦ୍ଧାଚରଣ କରୁଥିବାରୁ ଏହି ସଂଶୋଧିତ ନିୟମାବଳୀକୁ କାହିଁକି ରଦ୍ଦ କରା ନ ଯିବ ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳେନ୍ଦୁ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ଏହା ପରେ ୨୦୧୬ରେ ରିଅଲ ଇଷ୍ଟେଟ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା। ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ। ଏହାର ଅର୍ଥ ଆପାର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ। ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ ତେବେ ଗଠିତ ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ପାରିବେ।

ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର। ଆପାର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା। ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥ ବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ। ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍‌ ଗଠନ ସଂପର୍କିତ ରେରା ଆଇନକୁ କାର୍ଯ୍ୟକାରୀ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର