କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ: ‘ ଟିକାକରଣ କେନ୍ଦ୍ରକୁ ‌ଆସିପାରୁନଥିବା ବ୍ୟକ୍ତିଙ୍କ ପାଇଁ କ’ଣ ବ୍ୟବସ୍ଥା ଅଛି, ଜଣାଅ’

କଟକ : କରୋନା ଟିକାକରଣ କାର୍ଯ୍ୟକ୍ରମରେ ଟିକା ପାଇବା ପାଇଁ ଯୋଗ୍ୟ କୌଣସି ବ୍ୟକ୍ତି ଯେପରି ବାଦ୍‌ ନ ପଡ଼ନ୍ତି, ତାହା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଯିବା ସ୍ଥିତିରେ ନାହାନ୍ତି ସେମାନଙ୍କୁ ଟିକା ଦେବା ପାଇଁ କ’ଣ ବ୍ୟବସ୍ଥା ଗ୍ରହଣ କରାଯାଉଛି, ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏଭଳି ବ୍ୟକ୍ତିଙ୍କ ପାଇଁ ଟିକା କେମିତି ଉପଲବ୍ଧ ହେବ , ସେସମ୍ପର୍କରେ ତଥ୍ୟ ଦାଖଲ ପାଇଁ କହିଛନ୍ତି। ଏହି ପ୍ରସଂଗରେ କେନ୍ଦ୍ର ସରକାର କ’ଣ ନୀତି ଗ୍ରହଣ କରିବାକୁ ଯାଉଛନ୍ତି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋହନ ମିଶ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣରୁ ପ୍ରକାଶ, ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଟିକା ଦିଆଯାଉଥିବା ବେଳେ ବହୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଟିକା ନେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ବରିଷ୍ଠ ନାଗରିକ ଓ ଶାରୀରିକ ସାମର୍ଥ୍ୟ ନ ଥିବା ଭିନ୍ନକ୍ଷମମାନେ ଟିକାକରଣ କେନ୍ଦ୍ରରେ ପହଞ୍ଚିବା ସମ୍ଭବ ‌ନୁହେଁ। ତେଣୁ ଏଭଳି ବ୍ୟକ୍ତିଙ୍କୁ ଘରେ କରୋନା ଟିକା ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଏପ୍ରିଲ ୩୦ରେ ସୁପ୍ରିମକୋର୍ଟ ଟିକାକରଣ ପ୍ରସଂଗରେ ପ୍ରଦାନ କରିଥିବା ଗୁରୁତ୍ବପୂର୍ଣ୍ଣ ରାୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣଙ୍କ ସହିତ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆବର୍ଗର ଲୋକଙ୍କୁ ଟିକା ପ୍ରଦାନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ପରିଚୟପତ୍ର ନଥିଲେ ଏହା ଟିକାକରଣରେ ପ୍ରତିବନ୍ଧକ ନ ହେଉ ବୋଲି ସୁପ୍ରିମକୋର୍ଟ କହିଥିଲେ। ତେଣୁ ଟିକାକରଣ କେନ୍ଦ୍ରରେ ପହଞ୍ଚିବାରେ ଅସମର୍ଥ ବ୍ୟକ୍ତିଙ୍କୁ ଘରେ ସେମାନଙ୍କ ଦ୍ବାରଦେଶରେ ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର