ସ୍କୁଲ ଫି’ ଛାଡ଼ ପ୍ରସଂଗକୁ ନେଇ ଜନସ୍ବାର୍ଥ ମାମଲା : ହାଇକୋର୍ଟଙ୍କ ଜବାବ ତଲବ

କଟକ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରାଦେଶରେ ମାସାଧିକ ସମୟ ହେବ ଲକ୍‌ଡାଉନ କରାଯାଇଥିବା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି’ ଛାଡ଼ ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀ ଓ ଜଷ୍ଟିସ୍ ଏସ.କେ‌. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସରକାରଙ୍କୁ ଜବାବ ଦାଖଲ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ଏବେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ସ୍କୁଲ ଫି ପଇଠ କରିବାରେ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଦର୍ଶାଇ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକପ୍ରକାର ଠପ୍ ହୋଇଯାଇଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଲକ୍‌ଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ କେବେ କଟକଣା ଉଠିବ କହିବା କଷ୍ଟକର। ଜାରି କରାଯାଇଥିବା କଟକଣା ଯୋଗୁଁ ଲୋକମାନେ ବାହାରକୁ ଯାଇ ରୋଜଗାର କରିବା ସମ୍ଭବ ନୁହେଁ। ଅଧିକାଂଶଙ୍କ ପାଇଁ ଆର୍ଥିକ ସମସ୍ୟା ଗୁରୁତର ସ୍ଥିତିରେ ପହଞ୍ଚିଛି। ତିନିମାସ ପର୍ଯ୍ୟନ୍ତ ସ୍କୁଲ ଫି ଆଦାୟ ସ୍ଥଗିତ ରଖିବାକୁ କିମ୍ବା ଛାଡ଼ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ସମାନ କଥା କହିଥିଲେ। ଏଥିସହିତ ସ୍କୁଲ ଫି’ ବୃଦ୍ଧି ନ କରିବାକୁ ଘରୋଇ ଅନୁଷ୍ଠାନଗୁଡିକୁ କୁହାଯାଇଥିଲା। କିନ୍ତୁ କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ କର୍ମଚାରୀଙ୍କ ଦରମା ଓ ଅନ୍ୟ ପ୍ରସଂଗ କାରଣରୁ ସ୍କୁଲ ଫି ଛାଡ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ ୨୦୨୦, ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ଼ ପାଇଁ ସମସ୍ତ ଘରୋଇ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ୨୦୨୦-୨୧ ଶିକ୍ଷାବର୍ଷରେ ଯେଭଳି କୌଣସି ଶିକ୍ଷାନୁଷ୍ଠାନ ଫି ବୃଦ୍ଧି କରିପାରିବେ ନାହିଁ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଉ। ଯେଭଳି ଭାବେ ଶିକ୍ଷାନୁଷ୍ଠାନଗୁଡିକର ପରିଚାଳନା କମିଟି ବିଭିନ୍ନ ଆଳ ଦେଖାଇ ନୂଆଧରଣର ନୀତି ଆପଣାଇ ଏହି ବର୍ଷ ଅଭିଭାବକଙ୍କ ନିକଟରୁ କୌଣସି ଅଧିକ ଦେୟ ଆଦାୟ କରି ନ ପାରିବେ ସେଥି ପ୍ରତି ସତର୍କ ଦୃଷ୍ଟି ଦିଆଯାଉ। ଯଦି ଅଭିଭାବକଙ୍କ ନିକଟରୁ କୌଣସି ଭାବେ ଅଧିକ ଫି’ ଆଦାୟ ପାଇଁ କେହି ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହିତ ସ୍କୁଲ ଫି’ ଛାଡ଼ କରିବା ଦ୍ବାରା ଶିକ୍ଷାନୁଷ୍ଠାନ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଶିକ୍ଷକ, କର୍ମଚାରୀଙ୍କ ଦରମା, ବିଦ୍ୟୁତ ଦେୟ ଓ ଅନ୍ୟ ଖର୍ଚ୍ଚ ପାଇଁ ଏଭଳି ଶିକ୍ଷାନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର