କଟକ : ସ୍କୁଲ ଫି ଛାଡ ପ୍ରସଂଗ ସଂପର୍କିତ ମାମଲା ଆଜି ନୂଆ ମୋଡ଼ ନେଇଛି। ହାଇକୋର୍ଟରେ ଆଜି ମାମଲାର ଶୁଣାଣି ସମୟରେ କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ବିଚାରକୁ ନେଇ ଏହି ଅବଧି ଲାଗି ଛାତ୍ରଛାତ୍ରୀଙ୍କୁ ୧୫ ପ୍ରତିଶତ ସ୍କୁଲ ଫି ଛାଡ ପାଇଁ ଘରୋଇ ପବ୍ଲିକ୍ ସ୍କୁଲ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏ ନେଇ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ ପକ୍ଷରୁ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଜାରି କରାଯାଇଥିବା କଟକଣା ଓ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ସଂପୂର୍ଣ୍ଣ ଛାଡ କରାଯିବା ଆବଶ୍ୟକ। ଗତ ମାର୍ଚ୍ଚ ମାସରୁ ଛାତ୍ରଛାତ୍ରୀ ସ୍କୁଲ ଯାଉ ନଥିବା ବେଳେ ଡେଭେଲପମେଣ୍ଟ ଫି, ଡେ ବୋର୍ଡର ଫି, ପରିବହନ ସଂପର୍କିତ ଫି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଫି ସେମାନଙ୍କ ନିକଟରୁ ନିଆଯିବା କଥା ନୁହେଁ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ଲିଖିତ ଯୁକ୍ତି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୭ରେ ଏ ସଂପର୍କିତ ସମସ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ ଓ ସ୍କୁଲ ଶିକ୍ଷକ ସଂଘ ପିଟିସନ୍ ଦାଖଲ କରିଥିଲେ। ହାଇକୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି କେନ୍ଦ୍ର, ରାଜ୍ୟ ସରକାର, ସିବିଏସଇ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହିତ ଅନ୍ଲାଇନ୍ ପାଠପଢ଼ା ସୁବିଧା ଥିବା ସ୍କୁଲର କୌଣସି ଛାତ୍ରଛାତ୍ରୀ ଇ-କ୍ଲାସ୍ରୁ ବଞ୍ଚିତ ହେବେ ନାହିଁ, ସମସ୍ତଙ୍କୁ ଏ ସଂପର୍କିତ ଆଇଡି ଓ ପାସ୍ୱାର୍ଡ ପ୍ରଦାନ କରାଯିବ ବୋଲି ମେ୧୨ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ୨୦୨୦, ମାର୍ଚ୍ଚ ମାସଠାରୁ ଜୁନ ମାସ ପର୍ଯ୍ୟନ୍ତ ସ୍କୁଲ ଫି ଛାଡ ପାଇଁ ସମସ୍ତ ଘରୋଇ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ, ଆଇନଜୀବୀ ରଂଜନ କୁମାର ରାଉତ, ଦିଲ୍ଲୀପ କୁମାର ରାୟ, ଯଜ୍ଞପ୍ରକାଶ ପରିଡା, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।