ହାଇକୋର୍ଟ କାର୍ଯ୍ୟ ଦୁଇ ଦିନ ବନ୍ଦ

କଟକ : ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ମେ’ ୨ ଓ ୩ ତାରିଖକୁ ହାଇକୋର୍ଟ ଛୁଟି ଘୋଷଣା କରିଛନ୍ତି। ପରବର୍ତ୍ତୀ ସମୟରେ ବଦଳରେ ଦୁଇଟି ଶନିବାର କାର୍ଯ୍ୟ ଦିବସକୁ ହାଇକୋର୍ଟ କାର୍ଯ୍ୟ ଦିବସ ଭାବେ ଗଣନା କରାଯିବ। ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ଦୁଇ ଦିନ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବା ସମ୍ଭବ ହୋଇ ନ ପାରେ। ଏପରି ପରିସ୍ଥିତିରେ ଏହି ଦୁଇ ଦିନ କୋର୍ଟ ଛୁଟି ଘୋଷଣା ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାପରେ ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟ ବାର ଆସୋସିଏସନ ପ୍ରସ୍ତାବ କ୍ରମେ ଏହି ଦୁଇ ଦିନ ସମସ୍ତ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯାଇଛି ବୋଲି ସଭାପତି ଗୋପାଳକୃଷ୍ଣ ମହାନ୍ତି ଓ ସମ୍ପାଦକ ସଞ୍ଜୟ ଦାସ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ କଟକ ବାର୍ ଆସୋସିଏସନ୍ ଓ କ୍ରିମିନାଲ୍ କୋର୍ଟସ୍ ବାର୍ ଆସୋସିଏସନ୍ ପକ୍ଷରୁ ‘ଫନି’କୁ ଦୃଷ୍ଟିରେ ରଖି ପ୍ରସ୍ତାବ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ କଟକ ଜିଲ୍ଲା ଓ ଦୌରାଜଜଙ୍କୁ ଅବଗତ କରାଯାଇଛି ବୋଲି କଟକ ବାର୍‌ ସମ୍ପାଦକ ନରେଶ ଚନ୍ଦ୍ର ଜେନା ଓ କ୍ରିମିନାଲ୍ କୋର୍ଟସ୍ ବାର୍ ଆସୋସିଏସନ୍ ସମ୍ପାଦକ ସୁବାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର