ଆଇନ ବିଶ୍ୱବିଦ୍ୟାଳୟ ନାମଲେଖା ପ୍ରସଂଗରେ ହାଇକୋର୍ଟଙ୍କ ରାୟ : ସମସ୍ୟା ସୃଷ୍ଟି କରୁଛି ଏନ୍‌ଆର୍‌ଆଇ ସଂରକ୍ଷଣ ବ୍ୟବସ୍ଥା

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ)ରେ ନାମଲେଖା ପାଇଁ ଅନୁଷ୍ଠିତ ହେଉଥିବା କମନ୍ ଲ ଆଡମିସନ୍ ଟେଷ୍ଟ (କ୍ଲାଟ୍) ପରୀକ୍ଷାରେ ପ୍ରବାସୀ ଭାରତୀୟଙ୍କ ପ୍ରୋତ୍ସାହନରେ ନାମ ଲେଖାଉଥିବା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ନନ୍ ରେସିଡେଣ୍ଟ୍ ଇଣ୍ଡିଆନ୍ ସ୍ପନ୍ସରଡ୍‌ (ଏନ୍ଆର୍‌ଆଇଏସ୍‌) ବର୍ଗ ବ୍ୟବସ୍ଥା ମେଧାବୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି।

କ୍ଲାଟ ଜରିଆରେ ଏନ୍‌ଏଲ୍‌ୟୁରେ ନାମଲେଖା ସୁଯୋଗ ପାଇବା ପାଇଁ ଯୋଗ୍ୟତାସଂପନ୍ନ ପ୍ରାର୍ଥୀମାନେ ଦିନରାତି ପରିଶ୍ରମ କରୁଥିବା ବେଳେ ଏପରି ଏନ୍ଆର୍‌ଆଇଏସ ବର୍ଗ ବ୍ୟବସ୍ଥା ସେମାନଙ୍କୁ ଅସୁବିଧାରେ ପକାଉଛି। ଅନେକ ସମୟରେ ଏନ୍ଆର୍‌ଆଇଏସ ବର୍ଗର ପ୍ରାର୍ଥୀ ମେଧା ତାଲିକାରେ ତଳ ରୢାଙ୍କରେ ଥିଲେ ମଧ୍ୟ ସେମାନଙ୍କୁ ନାମଲେଖା ପାଇଁ ସୁଯୋଗ ମିଳୁଛି। ଅନ୍ୟପକ୍ଷରେ ଏପରି ବର୍ଗର ପ୍ରାର୍ଥୀଙ୍କ ଠାରୁ ଅଧିକ ମାର୍କ ରଖିଥିବା ସାଧାରଣ ବର୍ଗ ପ୍ରାର୍ଥୀ ଏନଏଲୟୁରେ ନାମଲେଖାରୁ ବଞ୍ଚିତ ହେଉଛନ୍ତି ଓ ଏହା ସେମାନଙ୍କୁ ନିରାଶ କରୁଛି। ଏପରି ବ୍ୟବସ୍ଥା ଉଚ୍ଚ ବର୍ଗଙ୍କ ପାଇଁ ସଂରକ୍ଷଣ ଭଳି। ଏଭଳି ସଂଶୟପୂର୍ଣ୍ଣ ବର୍ଗର କୋଟା ଅସାମ୍ବିଧାନିକ। ଏହି ବର୍ଗ ଅଧିନରେ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଅନିୟନ୍ତ୍ରିତ, ବେଆଇନ ଓ ମନମୁଖୀ ବୋଲି ହାଇକୋର୍ଟ କହିଛନ୍ତି।

‘ପି.ଏ.ଇନାମଦାର ବନାମ ମହାରାଷ୍ଟ୍ର ସରକାର ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ବିଶ୍ବବିଦ୍ୟାଳୟ ଦାବି କରୁଥିବା ଅଧିକ ଫି ଦେବାକୁ ସକ୍ଷମ ଥିବାରୁ ଏହି ବର୍ଗରେ କମ୍ ମେଧାବୀ ପ୍ରାର୍ଥୀଙ୍କୁ ନାମଲେଖା ସୁଯୋଗ ମିଳୁଛି। ଏହି ପ୍ରକ୍ରିୟାରେ ସଂପୃକ୍ତ ଥିବା ଏନଏଲୟୁ କନସୋର୍ଟିୟମ, ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ସମସ୍ତ ଅଂଶୀଦାରମାନେ ଏନଆରଆଇଏସ କୋଟା ପ୍ରସଂଗରେ ପୁନର୍ବ‌ାର ଚିନ୍ତା କରିବା ସହିତ ଏହି କୋଟା କାର୍ଯ୍ୟକାରୀ ବେଳେ ଉପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ବିଭିନ୍ନ ଅଧ୍ୟୟନରୁ ଜଣା ପଡିଛି ଯେ ଏନଆରଆଇଏସ୍ ‌କୋଟା ଅସ୍ପଷ୍ଟ ଓ ଅନିଶ୍ଚିତ। ମେଧାବୀମାନେ ଯେପରି ଅସୁବିଧାରେ ନ ପଡନ୍ତି ସେଥି ପାଇଁ ଏକ ସମାନ ଧରଣର ଓ ସ୍ପଷ୍ଟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସମସ୍ତ ପକ୍ଷ ବିଶେଷ କରି ବାର୍ କାଉନସିଲ ଅଫ୍ ଇଣ୍ଡିଆ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି। କ୍ଲାଟ ନାମଲେଖା ପ୍ରକ୍ରିୟାରେ ଉଚ୍ଚବର୍ଗ ଚୟନ ବ୍ୟବସ୍ଥା ଉପରେ କଟକଣା ଜାରି କରାଯିବା ଉଚିତ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର