କଟକ : ଛେଣ୍ଡିପଦା ତହସିଲ ଅନ୍ତର୍ଗତ କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ଜମିମାଲିକମାନଙ୍କୁ ୬୦ ବର୍ଷ ପରେ ବି କ୍ଷତିପୂରଣ ପ୍ରଦାନ କରା ନଯିବା ମାମଲାର ଶୁଣାଣି କରି ହାଇକୋର୍ଟ ଅନୁଗୁଳ ଜିଲ୍ଲାପାଳ, ଭୂମି ଅଧିଗ୍ରହଣ ଅଧିକାରୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ବିଚାର କରି ଆଜି ହାଇକୋର୍ଟ ଦରମା ପ୍ରଦାନ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। କ୍ଷତିପୂରଣ ରାଶି ନିର୍ଦ୍ଧାରଣ ଓ ପ୍ରକଳ୍ପ ପାଇଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ଏହି ଅର୍ଥ ପ୍ରଦାନ ପ୍ରସଂଗରେ କୌଣସି ପ୍ରକାର ପ୍ରତିବନ୍ଧକ ଏହି ଅଧିକାରୀମାନେ ସୃଷ୍ଟି କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ପ୍ରସଂଗରେ ସରକାର ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ବି.ପି.ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେବା ସହିତ ଜୁନ ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ କୁକରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୧୯୬୧ରେ ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ ନଥିବାରୁ ୨୦୨୩, ଜାନୁଆରି ୧୬ରେ ଅନୁଗୁଳ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଦେଶ ଅନୁସାରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ନଥିବାରୁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପ୍ରକ୍ରିୟା ଆରମ୍ଭ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ଜାନୁଆରି ୬ରେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରେ ଜାନୁଆରି ୧୬ରେ ଜିଲ୍ଲାପାଳଙ୍କ ବଦଳରେ ଅନୁଗୁଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଥିଲେ। ଜିଲ୍ଲାପାଳ ଅସୁସ୍ଥ ଥିବାରୁ ସେ ଜିଲ୍ଲାପାଳ ଦାୟିତ୍ବରେ ଅଛନ୍ତି ବୋଲି ନିର୍ବାହୀ ଅଧିକାରୀ ଦର୍ଶାଇଥିଲେ। ୨୦୧୩ରୁ ମାମଲା ଦାୟର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ନଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରି ଅନୁଗୁଳ ଜିଲ୍ଲାପାଳ, ଭୂମି ଅଧିଗ୍ରହଣ ଅଧିକାରୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ ରହିବ ବୋଲି ୨୦୨୩, ଜାନୁଆରି ୧୬ରେ ନିର୍ଦ୍ଦେଶ ଦେଇଥିଲେ। ଯଦି ଆବେଦନକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଏ ତେବେ ସଂପୃକ୍ତ ଅଧିକାରୀଙ୍କୁ ଦରମା ପ୍ରଦାନ ପ୍ରସଂଗ ବିଚାକୁ ନିଆଯିବ ବୋଲି ହାଇକୋର୍ଟ କହିଥିଲେ।
ଅଦାଲତ ଅବମାନନା ମାମଲାରେ ଜାନୁଆରି ୧୬ରେ ପ୍ରଦାନ କରାଯାଇଥିବା ଏହି ନିର୍ଦ୍ଦେଶରେ ପରିବର୍ତ୍ତନ ସହିତ ତିନି ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ଅନୁମତି ଲୋଡି ସରକାରଙ୍କ ତରଫରୁ ୨୦୨୩, ମେ ୧ରେ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା। ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜମି ଅଧିଗ୍ରହଣ ପାଇଁ ୩୭ କୋଟି ୭୬ ଲକ୍ଷ ୮୬ ହଜାର ୧୦୮ ଟଙ୍କା ଛେଣ୍ଡିପଦା ତହସିଲଦାର ତଥା ଭୂ-ଅର୍ଜନ ଅଧିକାରୀଙ୍କ ଖାତାରେ ଜମା କରାଯାଇଛି। ଏ ସଂପର୍କିତ ବିଜ୍ଞପ୍ତି ଏପ୍ରିଲ ୮ରେ ଦୁଇଟି ଖବରକାଗଜରେ ପ୍ରକାଶ ପାଇଥିଲା। ପୁନର୍ବାସ ଓ ଥଇଥାନ ଆଇନ, ୨୦୧୩ ଅନୁସାରେ ଥିବା ପ୍ରକ୍ରିୟା ଅନୁସରଣ ଓ ବୈଧାନିକ ଅବଧି ପରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଦୃଷ୍ଟିରୁ ଜାନୁଆରି ୧୬ର ନିର୍ଦ୍ଦେଶରେ ପରିବର୍ତ୍ତନ କରି ତିନି ଅଧିକାରୀଙ୍କ ଦରମା ପ୍ରଦାନ ପାଇଁ ଅନୁମତି ଦିଆଯାଉ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।