ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ବାଂଲାଦେଶୀ ନାଗରିକଙ୍କୁ ୧୬ ବର୍ଷ ପୁରୁଣା ରାଜ୍ୟ ଛାଡ଼ ‌ନିର୍ଦ୍ଦେଶ କାର୍ଯ୍ୟକାରୀ ହେବନି

କଟକ : ବଙ୍ଗଲାଦେଶୀ ନାଗରିକଙ୍କୁ ଭାରତ ଛାଡି ଯିବା ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ୨୦୦୪ ଡିସେମ୍ବର ୨୮ରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ବାଙ୍ଗଲାଦେଶୀ ନାଗରିକଙ୍କୁ ୩୦ ଦିନ ଭିତରେ ଭାରତ ଛାଡି ଯିବାକୁ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ନିର୍ଦ୍ଦେଶନାମା ବିରୋଧରେ ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୦୪ ଡିସେମ୍ବର ୨୮ର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ ପାଇଁ ଗଲା ୧୬ ବର୍ଷ ଭିତରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଏହି ନିର୍ଦ୍ଦେଶ ପ୍ରଭାବ ହରାଇଛି ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଫରେନରର୍ସ ଆକ୍ଟ ଅଧୀନରେ ଥିବା କ୍ଷମତା ପ୍ରୟୋଗ କରି ଏହି ପ୍ରସଂଗରେ ସାନି ପଦକ୍ଷେପ ଆଇନ ଅନୁସାରେ ସଂପୃକ୍ତ କର୍ତ୍ତୃପକ୍ଷ ଗ୍ରହଣ କରି ପାରବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଜିତ ବୈଧ୍ୟ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮ ଡିସେମ୍ବର ୨୮ରେ ରାଜ୍ୟ ଗୃହ ବିଭାଗ ଉପସଚିବ ଫରେନର୍ସ ଆକ୍ଟର ଧାରା ୩(୨) ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୧୯୫୮ ଏପ୍ରିଲ ୧୯ର ବିଜ୍ଞପ୍ତି ଅନୁସାରେ ଆବେଦନକାରୀଙ୍କୁ ୩୦ ଦିନ ଭିତରେ ଭାରତ ଛାଡି ଚାଲଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ବାଙ୍ଗଲାଦେଶୀ ନାଗରିକ ହୋଇଥିବାରୁ ନୋଟିସ ପାଇବାର ୩୦ ଦିନ ଭିତରେ ସେମାନଙ୍କୁ ଭାରତ ଛାଡିବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଯଦି ଏଥିରେ ଅବହେଳା କରାଯାଏ ତେବେ ସେମାନଙ୍କୁ ଭାରତରୁ ପଠାଇବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ଚ‌ାଲେଞ୍ଜ କରି ଆବେଦନକାରୀ ୨୦୦୮ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ଦାୟର ହେବା ପର୍ଯ୍ୟନ୍ତ ଏହି ପ୍ରସଂଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ପରବର୍ତ୍ତୀ ସମୟରେ ୨୦୦୮ ଅଗଷ୍ଟ ୨୬ ଓ ସେପ୍ଟେମ୍ବର ୧ରେ ହାଇକୋର୍ଟରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ସେତେବେଳେ ହାଇକୋର୍ଟ ଏହି ପ୍ରସଂଗରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରି ନଥିଲେ। ୧୧ ବର୍ଷ ପରେ ୨୦୧୯ରେ ହାଇକୋର୍ଟରେ ଦୁଇଥର ମାମଲା ଶୁଣାଣି ହୋଇଥିଲା। କେବଳ ‌ଶୁଣାଣି ଘୁଞ୍ଚିଥିଲା। ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷ ଥିଲେ ମଧ୍ୟ କୌଣସି ଜବାବ ଦାଖଲ କରି ନଥିଲେ। ଅନ୍ୟପକ୍ଷରେ ୨୦୦୯ ସେପ୍ଟେମ୍ବର ୫ରେ ରାଜ୍ୟ ସରକାର ଦାଖଲ କରିଥିବା ଜବାବରେ ୨୦୧୪ର ନିର୍ଦ୍ଦେଶନାମା ଯଥାର୍ଥ ବୋଲି ଦର୍ଶାଯାଇଥିଲା। ଏଥିସହିତ ୧୯୪୮ରେ ଆବେଦନକାରୀ ଓଡ଼ିଶାକୁ ଆସିଥିବା ଦାବି ଗ୍ରହଣୀୟ ନୁହେଁ ବୋଲି ଜବାବରେ ଉଲ୍ଲେଖ କରାଯାଇଥିଲା। ମାମଲାର ଚୂଡାନ୍ତ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୧୪ ଡିସେମ୍ବର ୨୮ର ନିର୍ଦ୍ଦେଶ ଉପରେ କୌଣସି ଅଙ୍କୁଶ ନଥିବା ବେଳେ ଏହାକୁ କିନ୍ତୁ ପରବର୍ତ୍ତୀ କାଳରେ ସରକାର କାର୍ଯ୍ୟକାରୀ କରି ନଥିଲେ।

ସମ୍ବନ୍ଧିତ ଖବର