କଟକ : ଅନେକ ସମୟରେ ପୀଡ଼ିତାଙ୍କ ବିନା ଅନୁମତିରେ ଓ ଅଜାଣତରେ ଫେସ୍ବୁକ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ତାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଅପ୍ଲୋଡ୍ କରାଯାଉଛି। ଏଭଳି ଘଟଣାରେ ଜଣାପଡ଼ିବା ପରେ କିନ୍ତୁ ଏହିସବୁ ତଥ୍ୟ ସାମାଜିକ ଗଣମାଧ୍ୟମରୁ ଉଠାଇଦେବା ବା ଲିଭାଇଦେବା ଦେବା ପ୍ରସଂଗରେ ପୀଡ଼ିତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ତଥ୍ୟ ସାମାଜିକ ଗଣମାଧ୍ୟମରୁ ସ୍ଥାୟୀ ଭାବେ ଲିଭାଇଦେବା ସଂକ୍ରାନ୍ତରେ ପୀଡ଼ିତାଙ୍କ ଅଧିକାର ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି କହିଛନ୍ତି ଯେ ଭାରତୀୟ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ଅଧିକ ଦଣ୍ଡଭିତ୍ତିକ। ଏହି ଅପରାଧରେ କ୍ଷତିଗ୍ରସ୍ତ ପୀଡ଼ିତଙ୍କ ଉପରେ ଏହା କେବଳ ଗଭୀର ପ୍ରଭାବ ପକାଇ ନ ଥାଏ, ଅନେକ ସମୟରେ ଏହି ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ମଧ୍ୟ ରହିଥାଏ। କିନ୍ତୁ, ପୀଡ଼ିତାଙ୍କ କ୍ଷତି ଓ ସହିଥିବା ପୀଡ଼ା ଉପରେ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥାରେ ଅଳ୍ପ ଗୁରୁତ୍ବ ଦିଆଯାଉଛି। ଅନେକ ସମୟରେ ପୀଡ଼ିତାଙ୍କ ପାଇଁ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ଏତେ ଜଟିଳ ହୋଇଥାଏ େଯ ସେମାନେ ସହାୟତା ପାଇଁ କେଉଁଠିକି ଯିବେ ଜାଣିପାରନ୍ତିନି।
ଉପଯୁକ୍ତ ଆଇନ ଅଭାବରୁ ଫେସ୍ବୁକ୍ ସର୍ଭରରୁ ପୂର୍ବରୁ ଅପଲୋଡ୍ କରାଯାଇଥିବା ଫଟୋ/ଭିଡିଓ ଉଠାଇଦେବା/ଲିଭାଇଦେବା ସଂପର୍କିତ ପୀଡ଼ିତାଙ୍କ ଅଧିକାର ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଅନ୍ୟପକ୍ଷରେ ମହିଳାଙ୍କ ବିନା ଅନୁମତିରେ ଏଭଳି ଆପତ୍ତିଜନକ ଫଟୋ/ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରହିବା ମହିଳାଙ୍କ ଶାଳୀନତା ପ୍ରତି ପ୍ରତ୍ୟକ୍ଷ ଅପମାନ। ଏହା ମଧ୍ୟ ମହିଳାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର ପ୍ରତି ମଧ୍ୟ ଅପମାନଜନକ। ଏଭଳି ଘଟଣାରେ ପୀଡ଼ିତା ନିଜେ ବା ପ୍ରସିକ୍ୟୁସନ୍ ପକ୍ଷରୁ ପୀଡ଼ିତାଙ୍କ ବ୍ୟକ୍ତିଗତ ଗୋପନୀୟତା ସଂପର୍କିତ ମୌଳିକ ଅଧିକାର ସୁରକ୍ଷିତ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ପାଇବା ଲାଗି ପଦେକ୍ଷପ ଗ୍ରହଣ କରାଯିବା ଉଚିତ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ମହିଳାଙ୍କ ଅନୁମତି ନେଇ ଉଠାଯାଇଥିବା ଫଟୋ ସଂପର୍କ ତିକ୍ତ ହେବା ପରେ ଅଭିଯୁକ୍ତ ଦ୍ବାରା ଅପବ୍ୟବହାର କରାଯିବା ଯଥାର୍ଥ ନୁହେଁ। ଶୋଷଣ ଓ ବ୍ଲାକମେଲ ବିରୋଧରେ ମହିଳାଙ୍କ ଅଧିକାରର ଏହା ପରିପନ୍ଥୀ। ଏପରିସ୍ଥଳେ ‘ବେଟି ବଚାଓ’ ଓ ମହିଳାଙ୍କ ସୁରକ୍ଷା ଚିନ୍ତା ସ୍ଲୋଗାନ ପାଦ ତଳେ ଚାପି ହୋଇଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଏହି ମାମଲାରେ ଆବେଦନକାରୀ ଶୁଭ୍ରାଂଶୁ ରାଉତଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ରସୋଳ ଥାନାରେ ଆବେଦନକାରୀ ଶ୍ରୀ ରାଉତଙ୍କ ବିେରାଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏଥିସହିତ ଫଟୋ ଭାଇରାଲ କରିବାକୁ ଆବେଦନକାରୀ ଧମକ ଦେଇଥିବା ସେ ଦର୍ଶାଇଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ଏଏସସି ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Odisha-High-Court.jpg)