ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ୩୧ ବର୍ଷ ତଳର ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ

କଟକ : ଦୁଷ୍କର୍ମ ଅଭିଯୋଗ ସଂପର୍କିତ ୩୦ ବର୍ଷ ତଳର ଏକ ମାମଲାର ରାୟ ପ୍ରକାଶ ପାଇଛି। ୧୯୮୯ରେ ଦୁଷ୍କର୍ମ ଉଦ୍ୟମ ଓ ଅସଦାଚରଣ ମାମଲାରେ ଆଇପିସିର ଦଫା ୩୭୬, ୫୧୧, ୩୫୪, ୪୫୭ରେ ନିମ୍ନ ଅଦାଲତ ଶତ୍ରୁଘନ ନାଗଙ୍କୁ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନ୍ୟପକ୍ଷରେ ଘରେ ବେଆଇନ ଭାବେ ପ୍ରବେଶ ପାଇଁ ଆଇପିସିର ଦଫା ୪୪୮ରେ ଶତ୍ରୁଘନଙ୍କୁ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଶତ୍ରୁଘନ ପ୍ରାୟ ୭ ମାସ ଜେଲରେ ରହି ଜାମିନରେ ଛାଡ଼ ପାଇଥିଲେ। ଶତ୍ରୁଘନ ଜେଲରେ ରହିଥିବା ଏହି ଅବଧିକୁ ଦଫା ୪୪୮ରେ ଦଣ୍ଡାଦେଶ ଭାବେ ଗ୍ରହଣ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯା‌ଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ୧୯୮୯ ଅକ୍ଟୋବର ୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ସମୟରେ ଆବେଦନକାରୀ ଜ‌ଣଙ୍କ ଘରେ ବେଆଇନ ଭାବେ ପ୍ରବେଶ କରି ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଟିଟିଲାଗଡ଼ ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଆଇପିସିର ଦଫା ୩୫୪ ଓ ୪୫୭ରେ ମାମଲା ରୁଜୁ କରି ଅକ୍ଟୋବର ୧୭ରେ ଶତ୍ରୁଘନଙ୍କୁ ଗିରଫ କରିଥିଲା। ଆଇପିସିର ଦଫା ୩୫୪ ଓ ୪୫୭ ଦଫାରେ ପୁଲିସ ଏହି ମାମଲାରେ ଶତ୍ରୁଘନ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। କିନ୍ତୁ ମାଜି‌ଷ୍ଟ୍ରେଟ୍ ଏହି ମାମଲାରେ ଆଇପିସିର ଦଫା‌ ୩୭୬, ୫୧୧, ୩୫୪ ଓ ୪୫୭ରେ ଶତ୍ରୁଘନଙ୍କ ବିରୋଧରେ କଗନିଜାନ୍‌ସ ଗ୍ରହଣ କରିଥିଲେ। ଟିଟିଲାଗଡ଼ ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ମାମଲାର ଶୁଣାଣି କରି ୧୯୯୦ ମାର୍ଚ୍ଚ ୧୭ରେ ଶତ୍ରୁଘନଙ୍କୁ ୩୭୬, ୫୧୧, ୪୫୭, ୩୫୪ରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଶତ୍ରୁଘନ ୧୯୯୦ ମେ ୪ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୯୯୦ ମେ ୨୫ରେ ହାଇକୋର୍ଟରେ ଅପିଲ ବିଚାରାଧୀନ ଥିବା ସମୟରେ ଶତ୍ରୁଘନଙ୍କୁ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର