କଟକ: ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଭାଙ୍ଗିବା ପରେ ଯୁବତୀ ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ଦୁଇ ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ ସମ୍ପର୍କ ରଖିବା ଓ ସମ୍ପର୍କ ଭାଙ୍ଗିବା ପରେ ଆପରାଧିକ ମାମଲା ରୁଜୁ କରିବା ଘଟଣାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଆବେଦନକାରୀ ଯୁବକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି।
ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ, ପ୍ରେମର ବିଫଳତା ଏକ ଅପରାଧ ନୁହେଁ। ଆଇନ ସବୁ ଭଗ୍ନ ସମ୍ପର୍କକୁ ସୁରକ୍ଷା ବିସ୍ତାରିତ କରି ନଥାଏ କି ସବୁ ବିଫଳ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରି ନଥାଏ। ଦୁଇ ପ୍ରାପ୍ତ ବୟସ୍କ ନିଜ ସହମତିରେ ୨୦୧୨ରେ ସମ୍ପର୍କରେ ପ୍ରବେଶ କରିଥିଲେ। ଉଭୟ ନିଜ ପସନ୍ଦ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ, ନିଜ ଇଚ୍ଛାର ପ୍ରୟୋଗ କରିବାକୁ ଓ ନିଜ ଭବିଷ୍ୟତକୁ ରୂପରେଖ ଦେବାକୁ ସକ୍ଷମ ଥିଲେ। ସେହି ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିବା ବେଳେ ତାହା ବ୍ୟକ୍ତିଗତ ଅଭିଯୋଗର ଉତ୍ସ ହୋଇପାରେ, କିନ୍ତୁ ପ୍ରେମର ବିଫଳତା ଏକ ଅପରାଧ ନୁହେଁ ବା ଆଇନ ନୈରାଶ୍ୟକୁ ପ୍ରତରାଣାରେ ବଦଳାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବିବାହ ଏକ ଅଭିରୁଚି, ଅନିବାର୍ଯ୍ୟତା ନୁହେଁ। ଏହା ଆଇନଗତ ସ୍ବୀକୃତି, ଶାରୀରିକ ମିଳନ ପାଇଁ ନୈତିକ ପ୍ରତିଦାନ ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ବ୍ୟକ୍ତିଗତ ସମ୍ପର୍କର ପୂର୍ଣ୍ଣ ପତନ କ୍ଷେତ୍ରରେ ପ୍ରତିଶୋଧ ନେବା ଲାଗି ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ବ୍ୟବହାରକୁ ରୋକାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଗୋଟଏ ପଟେ ବିବାହ ପ୍ରତିଶ୍ରୁତି ଦେଇ ଆବେଦନକାରୀ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପୀଡ଼ିତା ଏତଲାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଅଦାଲତରେ ରୁଜୁ କରିଥିବା ଦେୱାନୀ ମକଦ୍ଦମାରେ ପୀଡ଼ିତା ନିଜକୁ ଆବେଦନକାରୀଙ୍କ ଆଇନ ଅନୁସାରେ ବିବାହିତ ପତ୍ନୀ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଦୁଇ ଜଣଙ୍କ ମଧ୍ୟରେ ୯ ବର୍ଷ ସମ୍ପର୍କ ରହିଥିଲା, ଯାହା ସ୍ବଇଚ୍ଛାରେ ଥିଲା ବୋଲି ଦେଖାଯାଉଛି। ପ୍ରକୃତ ଅପରାଧ ପାଇଁ ନ୍ୟାୟ ବ୍ୟବସ୍ଥା ରହିଛି। ବିଫଳ ସମ୍ପର୍କର ଯୁଦ୍ଧକ୍ଷେତ୍ର ଭାବେ ସେବା ଯୋଗାଇବା ଲାଗି ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଆବେଦନକାରୀଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡ଼ିତା ଓ ଆବେଦନକାରୀ ଏକ କଂପ୍ୟୁଟର ପାଠ୍ୟକ୍ରମରେ ପାଠ ଜାରି ରଖିଥିବା ବେଳେ ୨୦୧୨ରେ ପରସ୍ପର ସହିତ ପରିଚିତ ହୋଇଥିଲେ। ସମ୍ପର୍କ ଆଗକୁ ବଢ଼ିଥିଲା। ଆବେଦନକାରୀ ପୁଲସ ସବ୍-ଇନ୍ସପେକ୍ଟର୍ ଭାବେ ନିଯୁକ୍ତି ପାଇଥିଲେ। ଆବେଦନକାରୀ ବିବାହ ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହିତ ଶରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ସମ୍ପର୍କ ଭାଙ୍ଗିଯିବା ପରେ ପୀଡ଼ିତା ବଲାଙ୍ଗୀର ଟାଉନ ଥାନାରେ ୨୦୨୧ରେ ଦୁଷ୍କର୍ମ ଅଭିଯୋଗ ନେଇ ଏତଲା ଦେଇଥିଲେ। ଏଥି ସହିତ ସମ୍ବଲପୁର ପରିବାର ଅଦାଲତରେ ମକଦ୍ଦମା କରି ତାଙ୍କୁ ଆବେଦନକାରୀଙ୍କ ଆଇନସିଦ୍ଧ ପତ୍ନୀ ଭାବେ ଘୋଷଣା କରାଯାଉ ବୋଲି ଦର୍ଶାଇଥିଲେ। ଏହାପରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲା ରଦ୍ଦ ପାଇଁ ଆବେଦନକାରୀ ଏମ୍.କେ.ମୁଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/vkCpaHR9yfzabUUZQV9H.jpg)