ବିଧାନସଭାରୁ ନବୀନ ନିବାସ : ହାଇଡ୍ରାମାକୁ ହାଇଜାକ୍‌

ବିରୋଧ, ବିକ୍ଷୋଭ, ହୁଳହୁଳି, କୋଳାକୋଳି

ନବୀନଙ୍କୁ ଖୋଜିଖୋଜି ନବୀନ ନିବାସ ଯାଇଥିଲେ ବିଜେପି ବିଧାୟକ
ବାଟ କଢ଼େଇ ନେଲେ ବିଜେଡି ବିଧାୟକ
ନବୀନ ନିବାସ ଗେଟ୍ ବନ୍ଦ ଦେଖି ଦେଇଥିଲେ ଧାରଣା
ବାହାରକୁ ଆସି ଡାକିନେଲେ ନବୀନ, ମାନିଗଲେ ବିରୋଧୀ
ଚନ୍ଦନ, ଦୁବ, ବରକୋଳି ପତ୍ର ଦେଇ ସ୍ବାଗତ କଲେ

ଭୁବନେଶ୍ବର : ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁନାହାନ୍ତି। କେଉଁଠି ଅଛନ୍ତି, ଆମେ ଖୋଜିବୁ।’’ ଏମିତି କହି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ବିଜେପି ବିଧାୟକମାନେ ଆଜି ପ୍ରଥମେ ଲୋକସେବା ଭବନ ଓ ପରେ ନବୀନ ନିବାସ ଯାଇଥିଲେ। ଗେଟ୍ ବନ୍ଦ କରିଦିଆଗଲା ବୋଲି କହି ନବୀନ ନିବାସ ସାମ୍ନାରେ ଧାରଣା ଦେଲେ। କିଛି ମୁହୂର୍ତ୍ତ ପାଇଁ ଏହି ପ୍ରସଙ୍ଗ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଦେଇଥିଲା। ଯାହା କେବେ ହୋଇନଥିଲା, ତାହା ରାଜ୍ୟ ବିଜେପି କରି ଦେଖାଇଲା ବୋଲି ଗୋଟିଏ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗଟି ଆହୁରି ଗମ୍ଭୀର ରୂପ ଧାରଣ କରିଥିଲା, ଯେତେବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଧାରଣାରୁ ଯେତେ ଉଠିବାକୁ କହିଥିଲେ, ସେମାନେ ଏହାକୁ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେଡି ନେତା ଓ ମନ୍ତ୍ରୀଙ୍କ ନିବେଦନର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡ଼ିନଥିଲା।

ହେଲେ କେଇ କ୍ଷଣ ମଧ୍ୟରେ ନିଜେ ନବୀନ ସାମ୍ନାକୁ ଆସିବା ପରେ ସମୁଦାୟ ପ୍ରସଙ୍ଗ ଓଲଟପାଲଟ ହୋଇଗଲା। ନବୀନଙ୍କ ନିଖୋଜ ପ୍ରସଙ୍ଗକୁ ଧରି ଗର୍ଜନ ତର୍ଜନ କରୁଥିବା ବିଜେପିର ଆଚରଣ ଓ ଉଚ୍ଚାରଣ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଏଥିସହିତ ଆଜିର ଘଟଣା ଭାରତ ରାଜନୀତିରେ ନବୀନଙ୍କ ଉଚ୍ଚତାକୁ ଆଉ ଏକ ସ୍ତରକୁ ନେଇଗଲା। ଯେବେ ରାଜ୍ୟ ସ୍ବାର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଓଡ଼ିଶାର ବିଧାୟକମାନଙ୍କୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଭେଟିବା ଲାଗି ସମୟ ଦେଉନାହାନ୍ତି, ସେବେ ନବୀନ ପ୍ରତ୍ୟକ୍ଷ ଭାବେ ବିରୋଧୀ ଦଳ ପାଖକୁ ଆସି ସେମାନଙ୍କୁ ନିଜେ ନବୀନ ନିବାସକୁ ପାଛୋଟି ନେବା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ସମସ୍ତଙ୍କ ମନ ଜିଣିନେଇଛନ୍ତି।

ବିଧାନସଭାରୁ ନବୀନ ନିବାସ ଯାଏ ଆଜି ଦେଖାଦେଇଥିବା ହାଇ ଡ୍ରାମା ବିରୋଧୀଙ୍କୁ ଯେତିକି ସଫଳତା ଦେଲା, ତା ଠାରୁ ଢେର୍ ଅଧିକ ପ୍ରଶଂସା ଗୋଟାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁଯୋଗ ସୃଷ୍ଟି କଲା। ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଏଭଳି ଘଟଣା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜର ପତିଆରା ଓ ପ୍ରଭାବ ବଢାଇଲେ, ଯାହା ପିପିଲି ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ପାଇଁ ଏକ ବଡ଼ ଅସ୍ତ୍ର ପାଲଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ ପୁଳା ପୁଳା ଅଭିଯୋଗ ଓ ମେଞ୍ଚା ମେଞ୍ଚା ଅସନ୍ତୋଷ ସହିତ ନବୀନ ନିବାସକୁ ଯାଇଥିବା ବିରୋଧୀ ଦଳର ବିଧାୟକମାନେ ଗଣମାଧ୍ୟମ ସାମ୍ନାରେ ରଖିଥିବା ବକ୍ତବ୍ୟ ସଙ୍କେତ ଦେଇଥିଲା ଯେ ସେମାନେ ଅସନ୍ତୁଷ୍ଟ ନୁହନ୍ତି। ଯଦିଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ଜୟ ନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ନବୀନ ନିବାସ ଯାଇନଥିଲେ, ତଥାପି ବିରୋଧୀ ଦଳ ନେତା ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଯାଇନଥାନ୍ତୁ। ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ।

ମୁଖ୍ୟମନ୍ତ୍ରୀଙ୍କୁ କହିଥିଲୁ ଯେ ଗୃହରେ ଯେଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି, ଗୃହର ନେତା ଭାବେ ଆପଣଙ୍କ ଉପସ୍ଥିତି ନିହାତି ଆବଶ୍ୟକ। ୬ ଦିନ ହେଲାଣି ବିଧାନସଭା ଅଚଳ ହେଲାଣି। ଧାନ ବିକ୍ରି କରିନପାରି ଚାଷୀ ଦୟନୀୟ ଅବସ୍ଥାରେ ଅଛନ୍ତି। ଏ ସମସ୍ୟାର ତୁରନ୍ତ ସମାଧାନ ଦରକାର। ମୁଖ୍ୟମନ୍ତ୍ରୀ ଏଥିରେ ରାଜି ହୋଇଥିଲେ। କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରତିଶ୍ରୁତି ଦେଇଥିଲେ।

ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଧାରଣା ସ୍ଥଳକୁ ଆସିବା ଇତିହାସରେ ପ୍ରଥମ। ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରୁ କିଛି ଫଳ ମିଳିବ ବୋଲି ଆଶା ରହିଛି। ମଣ୍ଡିରୁ ସବୁ ଧାନ ଉଠିବ କଥାରେ ମୁଖ୍ୟମନ୍ତ୍ରୀ ହଁ ମାରିଥିବା ଶ୍ରୀ ସେଠୀ କହିଥିଲେ।

ସ୍ମରଣଯୋଗ୍ୟ, ‘‘ସବୁ ଧାନ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଲେ ଯାଇ ବିଧାନସଭା ସ୍ବାଭାବିକ ହେବ।’’ ଏମିତି ଜିଦ୍‌ ଧରି ବିରୋଧୀ ବିଜେପି ଓ କଂଗ୍ରେସ ଗୃହକୁ ଅଚଳ କରିଦେଇଥିଲେ। ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ପରେ ବିଜେଡି ତାଙ୍କ କ୍ଷମା ଦାବିରେ ହଟ୍ଟଗୋଳ କରିଥିଲା। ୬ଦିନ ହେଲାଣି ଗୃହ ଅଚଳ ହୋଇପଡ଼ିଥିଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନଥିଲା। ବିରୋଧୀ କଂଗ୍ରେସ ଦୁଇଟି ଓ ବିଜେପି ଗୋଟିଏ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ବୁଧବାର ରାତିରେ ସରକାର ପାଇଁ ବିଜେପି ଏକ ବଡ଼ ଅଡ଼ୁଆ ପରିସ୍ଥିତି ସଂରଚନା କରିଥିଲା। ଦଳ ନିଷ୍ପତ୍ତି ନେଇଥିଲା ଯେ ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି, ତାଙ୍କୁ ଖୋଜିବ। ବିଜେପିର ଏଭଳି ଚରମ ନିଷ୍ପତ୍ତି ରାଜନୈତିକ ମହଲରେ ମଧ୍ୟ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା।

ଆଜି ବିଧାନସଭାରେ ଅଚଳାବସ୍ଥା ପରେ ଗୃହକୁ ବାଚସ୍ପତି ଅପରାହ୍ନ ଯାଏ ମୁଲତବୀ କରିଥିଲେ। ପରେ ବିଜେପି ବିଧାୟକମାନେ ବାହାରିଥିଲେ ନବୀନ ନିବାସ। ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ ଓ ତାଙ୍କୁ ବିଧାନସଭାକୁ ଡାକି ବିବୃତି ଆଦାୟ କରିବେ। ବିରୋଧୀ ଦଳ ନେତାଙ୍କ ନେତୃତ୍ବରେ ବିଧାୟକମାେନ ପ୍ରଥମେ ଲୋକସେବା ଭବନ ଯାଇଥିଲେ। ହେଲେ ସେଠାରେ ମୁଖ୍ୟମନ୍ତ୍ରୀ ନଥିବା ସଂପର୍କରେ କୁହାଗଲା। ସେଠାରୁ ସେମାନେ ନବୀନ ନିବାସ ଯାଇଥିଲେ ଶୋଭାଯାତ୍ରାରେ। ସେ ସମୟରେ କଂଗ୍ରେସ ବିଧାୟକମାନେ କିନ୍ତୁ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଉଥିଲେ।

ସେପଟେ ବିଜେଡି ଏହାର ମୁକାବିଲା ପାଇଁ ଜୋରଦାର କସରତ ଆରମ୍ଭ କରିଥିଲା। ନବୀନ ନିବାସ ସାମ୍ନାରେ ବିରୋଧୀ ଦଳ ବିଧାୟକଙ୍କୁ ବିଧିବଦ୍ଧ ସ୍ବାଗତ କରିବା ଲାଗି ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର ନେତାମାନେ ଶଙ୍ଖ, ଦୁବ ବରକୋଳି ପତ୍ର, ଚନ୍ଦନ ଧରି ଠିଆ ହୋଇଥିଲେ। ବିଜେପି ଶୋଭାଯାତ୍ରା ପଛେ ପଛେ ବିଜେଡି ବିଧାୟକ ବି ଯାଇଥିଲେ ନବୀନ ନିବାସ, ତାଙ୍କୁ ବାଟ କଢ଼େଇବା ପାଇଁ।

ହେଲେ ବିଜେପି ଶେଷ ମୁହୂର୍ତରେ ଏକ ବଡ଼ ଚାଲ୍ ଖେଳିଥିଲା। ନବୀନ ନିବାସ ଗେଟ୍ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ ଆଣି ଧାରଣାରେ ବସିଯାଇଥିଲେ ବିରୋଧୀ ବିଧାୟକ। ବିଜେଡି ବିଧାୟକ ସେମାନଙ୍କୁ ଆମନ୍ତ୍ରଣ କରି ବିଫଳ ହୋଇଥିଲେ। ଖବର ନବୀନଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା। କେଇ ମିନିଟ୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଧା ଚାଲି ଚାଲି ଆସିଥିଲେ ନବୀନ ନିବାସ ବାହାରକୁ। ଅତ୍ୟନ୍ତ ବିନମ୍ରତାର ସହିତ କହିଥିଲେ ଯେ ପ୍ରବଳ ଖରା ହେଉଛି, ଭିତରକୁ ଆସନ୍ତୁ କଥା ହେବା। ବାସ୍ ଏତିକିରେ ବିରୋଧୀଙ୍କ ସବୁ ମାନ ଅଭିମାନ ଶେଷ ହୋଇଯାଇଥିଲା।

ବିଧାୟକମାନେ ନବୀନ ନିବାସରେ ଗୋଟିଏ ଗଛତଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ। ହୁଳୁହୁଳି, ଶଙ୍ଖଧ୍ବନି ଭିତରେ ଚନ୍ଦନ, ଦୁବ ବରକୋଳିପତ୍ର, ଅରୁଆ ଚାଉଳ ଫିଙ୍ଗି ବିଧାୟିକା ସ୍ନେହାଙ୍ଗିନି ଛୁରିଆ, ଲତିକା ପ୍ରଧାନ ପ୍ରମୁଖ ବିଜେପି ବିଧାୟକଙ୍କୁ ସ୍ବାଗତ କରିଥିଲେ। ପରେ ପାଣି, ପଇଡ଼, ଘୋଳଦହି ଦିଆଯାଇଥିଲା। ସାନିଟାଇଜର ଆଉ ନୁଆ ମାସ୍କ ବି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଉଦ୍‌ବେଗକୁ ମୁଁ ବୁଝୁଛି। ଆମେ ବି ଚାହୁଁଛନ୍ତି ଯେ ଚାଷୀ ସମସ୍ୟାର ସମାଧାନ ହେଉ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଏ ପ୍ରସଙ୍ଗରେ ଆଲୋଚନା ବେଳେ ଏହାର ସମାଧାନର ରାସ୍ତା ନିଶ୍ଚିତ ବାହାରିବ। ଗୃହ ସ୍ବାଭାବିକ କରିବା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ସୂଚନା ମିଳିଛି। ପରେ ବିରୋଧୀ ବିଧାୟକଙ୍କ ସହିତ ନବୀନ କିଛି ଅନ୍ୟ ପ୍ରସଙ୍ଗ ଆଲୋଚନା କରିଥିଲେ ଓ ଫଟୋ ଉଠା କାର୍ଯ୍ୟକ୍ରମ ହୋଇଥିଲା।

ସମ୍ବନ୍ଧିତ ଖବର