ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ବିଜେପି ଓ ସରକାରରେ ହାଇଡ୍ରାମା ଚାଲିଛି। ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜଗନ୍ନାଥଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଛି। ଜଗନ୍ନାଥଙ୍କୁ ଗିରଫ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟ‌ନ୍ତ କଲମଛାଡ଼ ଆନ୍ଦୋଳନ ଜାରି ରହିବାକୁ ଓଏଏସ୍‌ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି। ସରକାର ଏକ ପ୍ରକାର ଚାପରେ ଅଛନ୍ତି। ଆଜି ଦିନ ସାରା ଗିରଫଦାରିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅପରାହ୍ନରେ ଜଗନ୍ନାଥଙ୍କ ଏକ ଟ୍ବିଟ୍‌ ଏବଂ ପରେ ପରେ ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ ଏହି ଚର୍ଚ୍ଚାକୁ ବଳ ଦେଇଥିଲା। 

Advertisment

ଜଗନ୍ନାଥ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ‘ରାଜ୍ୟରେ ଦୁଇଦିନ ହେବ ବିଏମ୍‌ସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।’ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଶ୍ରୀ ପ୍ରଧାନ ଘରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆସିଥିଲେ। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଥିଲେ। ଏହି ସମୟରେ ବିଧାୟକ ବାବୁ ସିଂହ ଓ ଇରାଶିଷ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ସଭାପତିଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଆଲୋଚନା କରିଥିଲେ।

ମନମୋହନଙ୍କ ସହ ଜଗାଙ୍କ ୨ ଘଣ୍ଟା ଆଲୋଚନା
ଯାହା ନିଷ୍ପତ୍ତି ସରକାର ନେବେ: ମନମୋହନ
ରାଜ୍ୟ ସଭାପତିଙ୍କ ଡାକରାରେ ବିଜେପି କାର୍ଯ୍ୟାଳୟ ଆସିଥିଲି: ଜଗନ୍ନାଥ
ବୈଠକ ପରେ ଇସ୍ତଫା, ଆତ୍ମସମର୍ପଣ ଚର୍ଚ୍ଚାରେ ବିରାମ

ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ବିଜେପି କାର୍ଯ୍ୟାଳୟ ସାମ୍ନା ଓ ଖାରବେଳନଗର ଥାନାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ସରକାର ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବାରୁ ସରକାର ଓ ଦଳର ସ୍ବାର୍ଥ ଦୃଷ୍ଟିରୁ ଶ୍ରୀ ପ୍ରଧାନ ଥାନାରେ ସମର୍ପଣ କରିବେ ବୋଲି ଚର୍ଚ୍ଚା ହେଲା। ଏପରିକି ବିଜେପି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ୨ ଘଣ୍ଟାର ବୈଠକ‌ ସରିବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମରେ ସଂକ୍ଷିପ୍ତ ଉତ୍ତର ରଖିଥିଲେ। ସେ କହିଥିଲେ, ‘ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ମୋତେ ଡାକିଥିଲେ। ସେଥିପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ମୁଁ ଏବେ ଘରକୁ ଯାଉଛି।’ ଏହା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। 

ସେହିପରି ପ୍ରତିକ୍ରିୟା ଦେଇ ବିଜେପି ରାଜ୍ୟ ସଭାପତି ମ‌ନମୋହନ ସାମଲ କହିଛନ୍ତି, ବିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସରକାର ସେ ବିଷୟରେ ଚିନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆ‌ଗରେ କହିବା ଠିକ୍‌ ହେବ ନାହିଁ। ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ। ଅନ୍ୟପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ୫ ଜଣଙ୍କ ବ୍ୟତୀତ ଅନ୍ୟ କାହାକୁ ଗିରଫ କରି ନଥିବା ସୂଚନା ମିଳିଛି। ତେବେ ଆଗକୁ ଏ ଘଟଣା କଣ ମୋଡ଼ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।