ରେଡ୍ ‌ଜୋନ୍‌ ଜିଲ୍ଲାରେ ଉଚ୍ଚ ପଜିଟିଭ୍ ହାର; ୬୦୭୯ ପଜିଟିଭ୍, ୪୪ ମୃତ

ଭୁବନେଶ୍ବର : ରାଜ୍ୟର ୮ଟି ଜିଲ୍ଲା ଏବେ ରେଡ୍-ଜୋନ୍‌ରେ ରହିଛି। ଏସବୁ ଜିଲ୍ଲାଗୁଡ଼ିକରେ ଅଢ଼େଇ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ହେଲେ କେବଳ ଅନୁଗୁଳ ଓ ଢେଙ୍କାନାଳକୁ ବାଦ୍ ଦେଲେ ଅନ୍ୟ ୬ଟି ଜିଲ୍ଲାରେ ଉଚ୍ଚ ପଜିଟିଭ୍ ହାର ରହିଛି, ଯାହାକି ରାଜ୍ୟର ପଜିଟିଭ୍ ହାରଠାରୁ ମଧ୍ୟ ଅଧିକ। ଏହି ୬ ଜିଲ୍ଲାରେ ପଜିଟିଭ୍ ହାର ୧୧-୧୯ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୮.୭ପ୍ରତିଶତ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।

ରାଜ୍ୟ ସରକାର ସଂକ୍ରମଣ କମ୍ ଥିବା ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ପାଇଁ ଚିନ୍ତା କରୁଥିବା ବେଳେ ଏସବୁ ଜିଲ୍ଲା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି। ସବୁଠାରୁ ଅଧିକ ସଂକ୍ରମଣ ହାର ରହିଛି ଯାଜପୁର ଜିଲ୍ଲାରେ। ଏଠାରେ ଗତ ୨୪ ଘଣ୍ଟାରେ ୪୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ‌ଳେ ସଂକ୍ରମଣ ହାର ରହିଛି ୧୯.୪ ପ୍ରତିଶତ। ସେହିପରି ଖୋର୍ଧାରୁ ୧୦୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ପଜିଟିଭ୍ ହାର ରହିଛି ୧୩.୩ ପ୍ରତିଶତ। କଟକରେ ୬୪୭ଆକ୍ରାନ୍ତ ବାହାରିଛନ୍ତି ଓ ପଜିଟିଭ୍ ହାର ରହିଛି ୧୩ ପ୍ରତିଶତ। ମୟୂରଭଞ୍ଜ‌ରେ ୨୯୭ ପଜିଟିଭ୍‌ ବାହାରିଥିବା ବେଳେ ପଜିଟିଭ୍ ହାର ୧୧.୩ ପ୍ରତିଶତ ଓ ବାଲେଶ୍ବରରେ ୩୯୨ ପଜିଟିଭ୍‌ରେ ୧୧ ପ୍ରତିଶତ ପଜିଟିଭ୍ ହାର ରହିଛି। ଏହାସହ ଭଦ୍ରକରୁ ୨୪୬, ବରଗଡ଼ ୧୦୭, ବୌଦ୍ଧ ୧୩୦, କନ୍ଧମାଳ ୧୧୨, ସୁନ୍ଦରଗଡ଼ ୨୦୮ ଓ ଷ୍ଟେଟ୍‌ ପୁଲରୁ ୬୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯୭ ପଜିଟିଭ୍ ବାହାରିଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୭ହଜାର ୨୨୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୪୪ଜଣ କରୋନାରେ ପ୍ରାଣ ହରାଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୫ଜଣ ମୃତକ ଅଛନ୍ତି। ଏହାବାଦ୍ ଅନୁଗୁଳ, ବରଗଡ଼, କଟକ, ଝାରସୁଗୁଡ଼ାରୁ ୪ ଲେଖାଏଁ, କଳାହାଣ୍ଡି, ପୁରୀ ଓ ରାୟଗଡ଼ାରୁ ୩ ଲେଖାଏଁ, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧରୁ ୨ ଲେଖାଏଁ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୮୨୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୧,୦୩୪କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୭୨ହଜାର ୯୭୨କୁ ବୃଦ୍ଧି ପାଇଛି। ଏହାସହ ସୁସ୍ଥ ହାର ୯୨ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର