ଭୁବନେଶ୍ବର: ଦାମୀ ଗାଡ଼ିରୁ ଓହ୍ଲାଉଛନ୍ତି। ବେକରେ ମୋଟା ସୁନାଚେନ୍, ହାତରେ ବ୍ରେସଲେଟ୍। ସେମାନେ ଅଭ୍ୟସ୍ତଙ୍କ ଭଳି ଆଡାରେ ପଶୁଛନ୍ତି। ଆରମ୍ଭରେ ହାଲ୍କା ମଦ୍ୟପାନ ପରେ ସୁରୁ ହୋଇଯାଉଛି ଜୁଆଖେଳ। ଏମିତି ପଇସାବାଲାଙ୍କୁ ନେଇ ରାଜଧାନୀରେ ଚାଲିଛି ହାଇପ୍ରୋଫାଇଲ ଜୁଆଆଡ଼ା। ଦିନରାତି ଖେଳ ଚାଲୁଥିଲେ ବି ସାମାନ୍ୟତମ ଟେର୍ ପାଉନି ପୁଲିସ। ଜୁଆଖେଳରେ କିଏ ସର୍ବସ୍ବାନ୍ତ ହେଉଛି ତ ଆଉ କିଏ ମାଲେମାଲ୍।
ମିଳିଥିବା ସୂଚନା ଅନୁସାରେ, ପୂଜା ବଜାର, କୁମାର ପୂର୍ଣ୍ଣିମା ଅବସରରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲିଛି। ରାଜଧାନୀ ଭୁବନେଶ୍ବର ବି ବାଦ୍ ପଡ଼ିନି। ତେବେ ଏଠାରେ ଜୁଆଖେଳ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଦରକାର ନାହିଁ। ବର୍ଷର ବିଭିନ୍ନ ସମୟରେ ଜୁଆଆଡ଼ା ଜମୁଛି। କିନ୍ତୁ ପୂଜା ସମୟରେ ଅଧିକ ଜୁଆ ଖେଳ ଚାଲିଥିବା ଜଣାପଡ଼ିଛି। କେତେକ ନିର୍ଦ୍ଦିଷ୍ଟ ହୋଟେଲ, ଲଜ୍, ଗେଷ୍ଟ ହାଉସରେ ପସରା ମେଲୁଛି। ଯେଉଁଥିରେ ସୁଧ ବେପାରୀ, ମଦ ବେପାରୀ, ବ୍ୟବସାୟୀ, ବିଲ୍ଡର, ଠିକାଦାର ଓ ସରକାରୀ କର୍ମଚାରୀ ମଧ୍ୟ ସାମିଲ ହେଉଛନ୍ତି। ଦୁଇ ପ୍ରକାର ଜୁଆଖେଳ ଚାଲୁଛି। ଗୋଟିଏ ଅନ୍ଲାଇନରେ ଓ ଅନ୍ୟଟି ଅଫ୍ଲାଇନରେ। କ୍ୟାସିନୋ ଭଳି ଏହି ଖେଳ ଖେଳାଯାଉଛି। ଗୋଟିଏ ଟେବୁଲରେ ୪ ଜଣ ଲେଖାଁଏ ବସୁଛନ୍ତି। ସମସ୍ତଙ୍କୁ ତାସ୍ ବଣ୍ଟା ଯାଉଛି। ଏହା ପରେ ବୋଲି ଉଠୁଛି। ଟଙ୍କା ହିସାବରେ ପ୍ଲାଷ୍ଟିକ କଏନ୍ ରଖାଯାଉଛି। ଯିଏ ଯେତିକି ଟଙ୍କାର ବୋଲି ଡାକୁଛି, ସିଏ ସେହି ଅନୁସାରେ ପ୍ଲାଷ୍ଟିକ କଏନ୍ ଠୁଳ କରି ନିଜ ଟେବୁଲରେ ରଖୁଛି। ଯାହାର ତିନିଟି ପତା ମିଶିଯିବ, ସିଏ ବାଜି ଜିତିବ। ଏମିତି ଢଙ୍ଗରେ ଚାଲୁଛି ହାଇପ୍ରୋଫାଇଲ ଜୁଆଖେଳ।
ସେହିପରି ଅନ୍ଲାଇନରେ ମଧ୍ୟ ତିନିପତା ଭଳି ଜୁଆଖେଳ ହେଉଛି। ଏଥିପାଇଁ ଏଲ୍ଇଡି ସ୍କ୍ରିନ୍ ବ୍ୟବହାର ହେଉଛି। ଜୁଆଖେଳ ଚାଲୁଥିବା ବେଳେ ନିଶା ପସରା ମଧ୍ୟ ଜମୁଛି। ବିପୁଳ ପରିମାଣର ବିଦେଶୀ ମଦ ରଖାଯାଉଛି। ମଦ, ମାଂସ ପରଶିବା ପାଇଁ ବଙ୍ଗୀୟ ଯୁବତୀ ମଧ୍ୟ ଆସୁଛନ୍ତି। ଯେଉଁଠି ଜୁଆଖେଳ ଚାଲୁଛି, ସେହି ସ୍ଥାନରେ ଦାମୀଗାଡ଼ିର ଭିଡ଼ ଲାଗୁଥିବା ଦେଖା ଯାଉଛି। ପୁଲିସ କିନ୍ତୁ କିଛି ହେଉ ନଥିବା ଭଳି ଚୁପ୍ ବସିଛି, ଯଦିଓ ଅନେକ ଲୋକ ଏସବୁ ଆଡା ସଂପର୍କରେ ଜାଣିଛନ୍ତି। ପୁଲିସ ଚଢ଼ଉ ହେଉ ନ ଥିବାରୁ ଜୁଆଆଡ଼ା ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଏପରିକି ଜିଲ୍ଲା ବାହାରୁ ବ୍ୟବସାୟୀମାନେ ଆସି ରାଜଧାନୀ ଜୁଆଆଡ଼ାରେ ସାମିଲ ହେଉଛନ୍ତି। ପୁଲିସ ଚଢ଼ଉ କରି ଧରିଲେ ବଡ଼ଧରଣର ପର୍ଦ୍ଦାଫାସ୍ ହୋଇପାରିବ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ରାଜଧାନୀର କଟକରୋଡ, ନୟାପଲ୍ଲୀ ଅଞ୍ଚଳରୁ ପୂର୍ବରୁ ହାଇପ୍ରୋଫାଇଲ ଜୁଆଆଡ଼ା ଧରାପଡ଼ିଛି।