ହାଇସ୍କୁଲ ପିଲାଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ: ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ରୁ ଦିଆଯିବ

ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ଟ୍ରେନିଂ ଆପ୍‌

ଭୁବନେଶ୍ବର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ। ୨୦୨୧-୨୨ ଶିକ୍ଷାବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହାଦ୍ବାରା ଜିଲ୍ଲାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏଥିସହ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବା ନେଇ ଆଲୋଚନା ଆରମ୍ଭ ହୋଇଛି। ଯଦି ସବୁ କିଛି ଠିକ୍‌ଠାକ୍‌ ଭାବେ ଚାଲେ, ତେବେ ୨୦୨୨-୨୩ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲରେ ଏହି ସୁବିଧା ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଡିଏମ୍‌ଏଫ୍‌ରୁ କେନ୍ଦୁଝର ଜିଲ୍ଲାରେ ଦିଆଯିବାକୁ ଥିବା ମଧ୍ୟାହ୍ନଭୋଜନରେ ସରକାରୀ, ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସଂସ୍କୃତ ଟୋଲ୍‌ ଓ ଏସ୍‌ଏସ୍‌ଡି ବିଭାଗ ଅଧୀନ ହାଇସ୍କୁଲକୁ ସାମିଲ କରାଯିବ। କେଉଁ ବିଦ୍ୟାଳୟରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଛନ୍ତି ସେସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଗୁରୁବାର ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସେପ୍ଟେମ୍ବର ୩ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ହୋଇଛି। ଗଣଶିକ୍ଷା ବିଭାଗର ଅଧିକାରୀ ଜଣକ କହିଛନ୍ତି ଯେ ହାଇସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତେବେ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ଏଥିରେ ବିଳମ୍ବ ହେଉଥିବାରୁ ଓଡ଼ିଶା ସରକାର ଏଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି। ଏବେ ପିଲାଙ୍କର ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ବାରୋପ କରାଯାଉଛି। କରୋନା କାଳରେ ରାଜ୍ୟର ୪୩ ହଜାର ସ୍କୁଲରେ କିଚେନ୍‌ ଗାର୍ଡେନ୍‌ କରାଯିବା ସହ ୪୭ ହଜାର ସ୍କୁଲକୁ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଇଛି।

ଅନ୍ୟପକ୍ଷରେ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ଏକ ଟ୍ରେନିଂ ଆପ୍‌ର ବିକାଶ କରାଯାଇଛି। ମଧ୍ୟାହ୍ନଭୋଜନ ଯୋଜନା ଅଧୀନରେ ଲକ୍ଷଲକ୍ଷ ସ୍କୁଲ ପିଲାଙ୍କୁ ସୁସ୍ଥ ଓ ନିରାପଦ ଖାଦ୍ୟ ପରିବେଷଣ ପାଇଁ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫ୍‌ପି) ଓ ବିଦ୍ୟାଳୟ ଓ ଗଣଶିକ୍ଷ‌ା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଉଭୟଙ୍କ ମିଳିତ ଉଦ୍ୟମରେ ବିକଶିତ ହୋଇଥିବା ଏହି ଆପ୍‌କୁ ପାଇଲଟ୍‌ ପ୍ରକଳ୍ପ ଭାବେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକରେ କାର୍ଯ୍ୟକାରୀ କରାଯାଇଛି। ଏହାର ସଫଳତା ପରେ ସାରା ରାଜ୍ୟରେ ଲାଗୁ କରାଯିବ।

ଏହି ଆପ୍‌କୁ ଉନ୍ମୋଚନ କରି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଲେ, ପିଲାଙ୍କ ପାଇଁ ଉତ୍ତମ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଏହି ବ୍ୟବସ୍ଥା ଓ ଉପଲବ୍ଧ ଉତ୍ସଗୁଡ଼ିକ ପାଚିକାଙ୍କୁ ସଶକ୍ତ କରିବ। ଏବେ ୧ଲକ୍ଷ ୧୪ ହଜାର ୨୨୫ଜଣ ପାଚିକାଙ୍କ ଦ୍ବାରା ପ୍ରାୟ ୪୩ ଲକ୍ଷ ୭୦ ହଜାର ସ୍କୁଲ ପିଲାଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହା ପ୍ରଶଂସନୀୟ ଯେ ଭାରତରେ ବିଶ୍ୱର ସର୍ବବୃହତ୍‌ ମଧ୍ୟାହ୍ନ‌ଭୋଜନ କିମ୍ବା ସ୍କୁଲ ଫିଡିଂ ପ୍ରୋଗ୍ରାମ୍‌ ୧୦୦ ମିଲିୟନରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ଡବ୍ଲୁଏଚ୍‌ପି ଇଣ୍ଡିଆର ପ୍ରତିନିଧି ବିଶ୍ବ ପାରାଜୁଲି କହିଛନ୍ତି ଯେ ବିଦ୍ୟାଳୟରେ ପରିବେଷିତ ଅସୁରକ୍ଷିତ ଖାଦ୍ୟ, ରୋଗ ଓ ପୁଷ୍ଟିହୀନତାର ଏକ ଭୟଙ୍କର ଚକ୍ର ସୃଷ୍ଟି କରିବାର କ୍ଷମତା ରଖିଛି। ପାଚିକାଙ୍କ ପ୍ରଶିକ୍ଷଣ ଏହି ସମସ୍ୟାର ମୁକାବିଲାରେ ସହାୟକ ହେବ। ଗୁଗୁଲ୍ ପ୍ଲେ’ ଷ୍ଟୋର୍‌ ମାଧ୍ୟମରେ ଏହି ଆପ୍‌କୁ ଡାଉନ୍‌ଲାଇନ୍‌ କରାଯାଇପାରିବ। ପୂର୍ବରୁ ଲୋଡ୍‌ ହୋଇଥିବା ଏହି ଆପ୍‌ର ଟାବଲେଟ୍ କାମାକ୍ଷା‌ନଗରର ୧୫୮ଟି ବିଦ୍ୟାଳୟରେ ବଣ୍ଟନ କରାଯିବ। ଇଣ୍ଟରନେଟ୍‌ ଉପଲବ୍ଧ ରହିଥିଲେ ପର୍ଯ୍ୟାୟକ୍ରମେ ଟ୍ରେନିଂ କାର୍ଯ୍ୟକ୍ରମର ବିଷୟବସ୍ତୁଗୁଡ଼ିକ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ରେ ଗ୍ରହଣ କରିହେବ। କାର୍ଯ୍ୟକ୍ରମକୁ ମଧ୍ୟାହ୍ନଭୋଜନ ରାଜ୍ୟ ନୋଡାଲ ଅଧିକାରୀ ଗଙ୍ଗାଧର ସାହୁ ପରିଚାଳନା କରି ମଧ୍ୟାହ୍ନ ଭୋଜନକୁ ପୁଷ୍ଟିକର କରିବା ପାଇଁ ଗଣଶିକ୍ଷା ବିଭାଗ ସହ ଡବ୍ଲୁଏଫ୍‌ପିର ସହଯୋଗ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର