ଭିଜିଲାନ୍ସ ଜାଲରେ ହାଇସ୍କୁଲ କିରାଣି

ସାଲେପୁର : ସାଲେପୁର ବ୍ଲକ୍‌ ଅଧୀନ ଛାଣିପୁର ହାଇସ୍କୁଲର କିରାଣି ଅରୁଣ ପରିଡ଼ା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅରୁଣଙ୍କୁ ଲାଞ୍ଚ ଟଙ୍କା ସହ ଧରି କଟକ ନେଇ ଯାଇଛନ୍ତି।

ସୂଚନା ମୁତାବକ, ଛାଣିପୁର ହାଇସ୍କୁଲ୍‌ର କିରାଣି ଅରୁଣ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଷ୍ଟାଇପେଣ୍ଡ୍‌ ଅର୍ଥ ବାବଦ ଚେକ୍ ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଛାତ୍ରୀଜଣକ ଅରାଜି ହେବାରୁ ସେ ଚେକ୍ ଦେଉ ନ ଥିଲେ। ଏ ସମ୍ପର୍କରେ ଛାତ୍ରୀଙ୍କ ବାପା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଆଜି ସକାଳ ପ୍ରାୟ ୮ଟାରେ ବିଦ୍ୟାଳୟ ନିକଟରେ ପହଞ୍ଚି ଛାତ୍ରୀଙ୍କୁ ରାସାୟନିକ ଲେପ ଥିବା ୪ ହଜାର ଟଙ୍କା ଦେଇଥିଲେ।

ଛାତ୍ରୀଜଣକ କିରାଣିଙ୍କୁ ଏହି ଟଙ୍କା ଦେବା କ୍ଷଣି ବିଦ୍ୟାଳୟ ନିକଟରେ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଅରୁଣଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଥିବା ଏହି ଟଙ୍କା ଜବତ କରାଯାଇଛି। ପରେ ଭିଜିଲାନ୍ସ ବିଭାଗ କିରାଣିଙ୍କୁ ଭୀମଦାସପୁରସ୍ଥିତ ତାଙ୍କ ଘର ଓ ମାଛୁଆତିସ୍ଥିତ ଭଡ଼ା ଘରକୁ ନେବା ପରେ ଗିରଫ କରି କଟକ ନେଇ ଯାଇଥିବା ଜଣାପଡ଼ିଛି। ଏ ନେଇ ତାଙ୍କ ବିରୋଧରେ ଏକ ମାମଲା (ନମ୍ବର- ୧୦/୧୫।୪।୨୦୨୧) ରୁଜୁ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର