ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗ : ବିଭାଗୀୟ ମନ୍ତ୍ରୀ କହିଲେ- ବିଚାର ବିମର୍ଶ ଚାଲିଛି, କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ

ଭୁବନେଶ୍ବର: ରାଜ୍ୟରେ ୧୦୦୦ ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ଏ ନେଇ ପ୍ରସଙ୍ଗ ଉଠାଇଛି। ବିଭାଗୀୟ ମନ୍ତ୍ରୀ ସ୍କୁଲ ବନ୍ଦ ନକରିବା‌କୁ  ପ୍ରତିଶ୍ରୁତି ନ ଦେବାରୁ ନିଜ ଆସନରେ ଛିଡା ହୋଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି। ନରସିଂହଙ୍କ ପ୍ରଶ୍ନରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କିଛି ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନାହାନ୍ତି । ଅନ୍ୟ କିଛି ସ୍ଥାନରେ ରାସ୍ତା ଏପଟେ ଗୋଟିଏ ସ୍କୁଲ ଓ ଅନ୍ୟପଟେ ଆଉ ଗୋଟେ ସ୍କୁଲ ରହିଛି । ତାକୁ ଦୃଷ୍ଟିରେ ରଖି କେବଳ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଦିଆଯିବା ପରେ ସେ ଉପରେ ବିଚାର ବିମର୍ଶ ଚାଲିଛି । ତେଣୁ ହଜାରେ ହାଇସ୍କୁଲ ବନ୍ଦ ହେବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ।

ଶ୍ରୀ ମିଶ୍ର ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା । ବିଧାନସଭା ଚାଲିଥିବା ବେଳେ ଏପରି ନୀତିଗତ ନିଷ୍ପତ୍ତି ହୋଇଛି କି ? ସ୍କୁଲ ବନ୍ଦ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ନ ଦେବାରୁ ନରସିଂହ ପ୍ରତିବାଦ କରିଥିଲେ ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ବି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିନା ବିଧାନସଭା ଆଲୋଚନାରେ ରାଜ୍ୟର କୌଣସି ବି ଗୋଟିଏ ସ୍କୁଲ ବନ୍ଦ ହେବ ନାହିଁ। ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଥିଲେ । ଶ୍ରୀ ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ହାଇସ୍କୁଲ ବନ୍ଦ ହେବାର କୌଣସି ଉଦ୍ଦେଶ୍ୟ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନିଅନ୍ତୁ । ତେବେ ଏହି ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଫୋରମରେ ଆଣିବାକୁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର