ହାଇସ୍କୁଲ ଚେହେରା‌ ବଦଳିବ

ପ୍ରଥମ ପର୍ଯ୍ୟାୟରେ ହଜାରେ ବିଦ୍ୟାଳୟ ଚିହ୍ନଟ

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ, କାମ ଆରମ୍ଭ
ସ୍ମାର୍ଟ କ୍ଲାସରୁମ୍‌, ଲାଇବ୍ରେରି ଓ ଲାବରେଟୋରି ସୁବିଧା

ଭୁବନେଶ୍ବର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଚେହେରା ବଦଳିବ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବା ଲାଗି ରାଜ୍ୟ ସରକାର ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହଜାରେ ବିଦ୍ୟାଳୟକୁ ଚିହ୍ନଟ କରାଯାଇଛି। ଯେଉଁଥିରେ ଆଦିବାସୀ ତଥା ପଛୁଆ ଅଞ୍ଚଳ ଜିଲ୍ଲାଗୁଡ଼ିକର ବିଦ୍ୟାଳୟକୁ ପ୍ରାଥମିକତା ଦିଆଯାଇଛି। ଗଞ୍ଜାମ ଜିଲ୍ଲାର ସର୍ବାଧିକ ହାଇସ୍କୁଲ ପ୍ରଥମ ପର୍ଯ୍ୟାୟର ଏହି ଉନ୍ନତୀକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଏହା ତ‌ଳକୁ ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ ରହିଛି।

ତ୍ବରାନ୍ବିତ ଭିତ୍ତିରେ ୨୦୨୧ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ କରାଯିବାକୁ କୁହାଯାଇଛି। ଫଳରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୫୦୦ ସ୍କୁଲର ବିକାଶ ଦିଗରେ ପଦକ୍ଷେପ ନିଆଯିବ। ୨୦୨୪-୨୫ ସୁଦ୍ଧା ରାଜ୍ୟର ସମସ୍ତ ହାଇସ୍କୁଲଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଭିତ୍ତିଭୂମି ବିକାଶ ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ହାଇସ୍କୁଲର ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବ, ସେଥିରେ ଗାଁ ଲୋକ, ଏସ୍‌ଏମ୍‌ସି (ସ୍କୁଲ ପରିଚାଳନା କମିଟି)ର ସଦସ୍ୟମାନଙ୍କୁ ସାମିଲ କରାଯିବ। ବିଦ୍ୟାଳୟ ‌କିଭଳି ଉନ୍ନତମାନର ହେବ, ସେଥିପାଇଁ ସେମାନଙ୍କ ପରାମର୍ଶ ମଧ୍ୟ ଲୋଡ଼ାଯିବ। ଶିକ୍ଷା ଅଧିକାର ଆଇନ(ଆରଟିଇ)କୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି। ସ୍ମାର୍ଟ କ୍ଲାସରୁମ୍‌, ସ୍ମାର୍ଟ ଲାଇବ୍ରେରି, ସାଇନ୍ସ ଲାବରେଟୋରିକୁ ପ୍ରାଥମିକତା ଦିଆଯାଇଛି।

ବିଦ୍ୟାଳୟରେ ଥିବା ବିଲଡିଂଗୁଡ଼ିକର ପୁନରୁଦ୍ଧାର, ଆବଶ୍ୟକ ହେଲେ ନୂତନ ବିଲଡିଂ ନିର୍ମାଣ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଟଏଲେଟ୍‌ କମ୍ପ୍ଲେକ୍ସ ହେବ। ସ୍କୁଲର ରଙ୍ଗ ପିଲାଙ୍କ ଉପଯୋଗୀ ହେବା ସହ ଡେକ୍ସ ଓ ବେଞ୍ଚର ଉଚ୍ଚତାକୁ ଗୁରୁତ୍ବ ଦିଆଯିବ। ବିସ୍ତୀର୍ଣ୍ଣ ଖେଳ ପଡ଼ିଆ ନିର୍ମାଣକୁ ବି ଏଥିରେ ସାମିଲ ହୋଇଛି। ଯଦି ସ୍କୁଲର ନିଜସ୍ବ ଖେଳ ପଡ଼ିଆ ନ ଥିବ, ତେବେ ନିକଟରେ ଥିବା ବିଦ୍ୟାଳୟର ଖେଳ ପଡ଼ିଆକୁ ବ୍ୟବହାର କରିପାରିବେ। ସିବିଏସ୍‌ଇ ପରି କେନ୍ଦ୍ରୀୟ ବୋର୍ଡ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କୁ ସମକକ୍ଷ କରିବା ଲାଗି ପ୍ରତିଯୋଗିତାକୁ ଅଧିକ ପ୍ରାଧାନ୍ୟ ମିଳିବ। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଲାଗି ପ୍ରଶିକ୍ଷଣ ଶିବିର ହେବ। ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କୁ ବି ସାମିଲ କରାଯିବ। ୯ମ ଓ ଦଶମ ଶ୍ରେଣୀ ପିଲା ମୁଖ୍ୟତଃ ସାମିଲ ହେଉଥିବାରୁ ପ୍ରତି ମାସରେ ସେମାନଙ୍କ ପ୍ରାକ୍ଟିସ୍‌ ପରୀକ୍ଷା ସହ ୩ ମାସ ଓ ୬ ମାସରେ ପରୀକ୍ଷା କରାଯାଇ ପିଲାଙ୍କ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯିବ।

ଇତିମଧ୍ୟରେ ଗଞ୍ଜାମ ଓ ବରଗଡ଼ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ କାମ ଆରମ୍ଭ ହୋଇଯାଇଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲସ୍ତରରୁ ପିଲାଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ଆମର ମୂଳ ଲକ୍ଷ୍ୟ। ତାହାକୁ ନଜରରେ ରଖି ୫-ଟି କାର୍ଯ୍ୟକ୍ରମରେ ଏଭଳି ପଦକ୍ଷେପ ନିଆଯାଇଛି। ପିଲାଙ୍କ ନିକଟରେ ଯେପରି ଏହାର ଫାଇଦା ପହଞ୍ଚିବ, ସେଥିପ୍ରତି ପ୍ରାଥମିକତା ଦିଆଯାଉଛି। ପୂର୍ବରୁ ଶହେ ସ୍କୁଲକୁ କରିବାକୁ ଯୋଜନା ହୋଇଥିଲା। ଏବେ ତାହାକୁ ଏକ ହଜାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସମସ୍ତଙ୍କ ସହଯୋଗ ରହିଲେ ଆମେ ଏଥିରେ ଶତପ୍ରତିଶତ ସଫଳ ହେବା ଏବଂ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେଇପାରିବା।

ସମ୍ବନ୍ଧିତ ଖବର