ରାଇରଙ୍ଗପୁର/ଗୋରୁମହିଷାଣୀ: ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ୧୯୦ ଥର ବସ୍ଉଠ। ଛାତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଶିକ୍ଷାନୁଷ୍ଠାନକୁ ‘ଦଣ୍ଡ ମୁକ୍ତ ଅଂଚଳ’ ଭାବେ ଘୋଷଣା କରିବା ଦ୍ୱାରା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବୃଦ୍ଧି ହୋଇଛି ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମାତ୍ର ଉକ୍ତ ନିୟମର ବ୍ୟତିକ୍ରମ ଦେଖିବାକୁ ମିଳେ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି )ରେ। ଚଳିତ ମାସ ୭ ତାରିଖରେ ହୋମୱାର୍କ କରିନଥିବା ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ଡ ନିର୍ମଳା ଜେନାଙ୍କ ଦ୍ୱାରା ଅତି ବର୍ବରଚିତ୍ତ ଭାବେ ୨ ଶହ ଥର ବସ ଉଠ ଭଳି କଠିନ ଦଣ୍ଡ ପ୍ରଦାନ କରିଥିବାର ଜନୈକ ଛାତ୍ରୀଙ୍କ ପିତା ଗୁରୁତର ଅଭିଯୋଗ କରିଛନ୍ତି। ଏହା ଦ୍ବାରା ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମହଲରେ ଚିନ୍ତାର କାରଣ ପାଲଟିଛି। ଛାତ୍ରୀ ଜଣକ ମାଂସପେଶୀରେ ଯନ୍ତ୍ରଣା ହେତୁ ଚାଲି ନପାରିବାରୁ ପ୍ରଥମେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଗୁରୁତର ହେବାରୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଏ ସମ୍ୱନ୍ଧରେ ଜନୈକ ଛାତ୍ରୀଙ୍କ ପିତା ଓଏଭି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିବାରୁ ସେ ଆପୋଷ ସମାଧାନ ପାଇଁ କହିଥିବାର ପ୍ରକାଶ କରିଛନ୍ତି। ଛାତ୍ରୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ତାଙ୍କ କନ୍ୟା ହୋମୱାର୍କ ଖାତାର ଗୋଟିଏ ପ୍ରଶ୍ନର ଉତ୍ତର କରିନଥିବା ସମ୍ପୃକ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଜେନା ଉକ୍ତ ପ୍ରଶ୍ନର ଉତ୍ତର ସମ୍ପୃକ୍ତ ଛାତ୍ରୀକୁ ବୁଝାଇବା ପରିବର୍ତ୍ତେ କାହିଁକି ଗାଇଡ଼ ବହିରୁ ନକଲ କରି ଲେଖିଲ ନାହିଁ ବୋଲି ତାଗିଦ କରି କର୍ତ୍ତବ୍ୟରେ ଅବହେଳାର ଦଣ୍ଡ ସ୍ୱରୂପ ବସ ଉଠ କରାଇଥିଲେ, ଯାହାକି ଅଭିଭାବକମାନଙ୍କୁ ବିସ୍ମିତ କରିଛି।
ତେବେ ପ୍ରଶ୍ନ ଉଠୁଛି ଯେ ଅବିଭାବକମାନେ ସେମାନଙ୍କ ସନ୍ତାନମାନଙ୍କୁ ବିଦ୍ୟାଳୟକୁ ପାଠ ପଢେଇବା ପାଇଁ ପଠାଉଛନ୍ତି ନା ନକଲ ଶିଖିବାପାଇଁ ପଠାଉଛନ୍ତି। ଅନେକ ଅବିଭାବକ ଅଭିଯୋଗ କରନ୍ତି ଯେ ସାନମଉଦା ଓଏଭିରେ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ କେତେକ ତାଲିବାନୀଙ୍କ ଭଳି ବ୍ୟବହାର କରୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀମାନଙ୍କୁ ବସ ଉଠ କରାଇବା, କାନକୁ ଖୁବଜୋରରେ ମୋଡ଼ି ନାଲି କରିଦେବା, ନାକ ମୋଡ଼ି କଳା ପକେଇବା ପ୍ରଭୃତି କଠିନ ଦଣ୍ଡବିଧାନ କରୁଥିବାର ଗୁରୁତର ଅଭିଯୋଗ ହୁଏ।
ଏ ସମ୍ୱନ୍ଧରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଉକ୍ତ ବିଷୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଡ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କହିଛନ୍ତି। ତଥା ସିସିଟିଭି ଫୁଟେଜ ଯାଞ୍ଚ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବାର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅବିଭାବକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଦାବୀ କରିଛନ୍ତି। ଏ ସମ୍ବନ୍ଧରେ ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହିତ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରି କାର୍ଯନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/94e07b4e-b38c-4074-a677-9e7ea466ff30.jpeg)