ଭୁବନେଶ୍ୱର : ୨୦୧୩ ମସିହାରୁ ଅନୁଦାନ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ୧୭୭ ହାଇସ୍କୁଲ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ତୁରନ୍ତ ଅନୁଦାନ ପ୍ରଦାନ କରିବା ଦାବିରେ ଶିକ୍ଷକମାନେ ୩ ଦିନ ଧରି ଲୋୟର ପିଏମ୍ଜିରେ ଧାରଣା ଦେଉଥିଲେ ମଧ୍ୟ ସରକାର ଆଲୋଚନାକୁ ଡାକି ନାହାନ୍ତି। ମଙ୍ଗଳବାର ଏ ନେଇ ନିର୍ଭର ପ୍ରତିଶ୍ରୁତି ନ ମିଳିଲେ ଶିକ୍ଷକମାନେ ସପରିବାର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ପଙ୍କଜ କୁମାର ପରିଡ଼ା ଓ ସମ୍ପାଦକ ଲଲାଟେନ୍ଦୁ କର ଏହି ସୂଚନା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ରାଜ୍ୟରେ ୫୭୬ ଏଭଳି ବିଦ୍ୟାଳୟ ରହିଥିଲା। ୨୦୧୫ ମସିହାରେ ୩୯୯ ସ୍କୁଲକୁ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ଏହାପରେ ସରକାର ଡିଇଓଙ୍କ ଜରିଆରେ ଅନୁଦାନ ଯୋଗ୍ୟ ହୋଇଥିବା ସ୍କୁଲଗୁଡ଼ିକ ତାଲିକା ମାଗିଥିଲେ। ଏହି ସବୁ (୧୭୭) ହାଇସ୍କୁଲ ଅନୁଦାନ ପାଇବା ପାଇଁ ଯୋଗ୍ୟ ହୋଇଥିବା ସରକାରୀ ଅଧିକାରୀ ସରକାରଙ୍କୁ ଅବଗତ କରାଇଥିଲେ। ହେଲେ ସେବେଠାରୁ ଫାଇଲ ପଡ଼ି ରହିଛି। ଏହି ସ୍କୁଲରେ ୨୧୨୪ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ରହିଛନ୍ତି। ୭ହଜାର ୫ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରହିଛନ୍ତି। ଛାତ୍ରଛାତ୍ରୀମାନେ କୌଣସି ସରକାରୀ ସୁବିଧା ପାଉନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp