ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ: ତୃତୀୟ ପର୍ଯ୍ୟାୟରେ ଦୁଇ ହଜାର

ସ୍କୁଲରେ ଇଣ୍ଟର୍ଣ୍ଣସିପ୍‌ କରିପାରିବେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ
ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଭର୍ଚୁଆଲରେ ହେବ ଟକ୍‌ ସେସନ୍
୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ରୂପ ବଦଳୁଛି। ପ୍ରଥମ ପର୍ଯ୍ୟାୟରେ ୧୦୭୬ ସ୍କୁଲର ରୂପାନ୍ତରୀକରଣ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୩୩୦୦ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଛି। ଏହାପରେ ବି ଆହୁରି ୪ ହଜାର ୩୧୦ ଉଚ୍ଚ ବିଦ୍ୟାଳୟ ରହିଯାଇଛି। ସେଥିମଧ୍ୟରୁ ଦୁଇ ହଜାରରୁ ଅଧିକ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ମନିଟରିଂକୁ ପ୍ରାଥମିକତା ଦିଆଯିବା ସହ ମନ୍ଥର ଗତିରେ ହେଉଥିବା କାମକୁ ତୁରନ୍ତ ଶେଷ କରିବାକୁ କୁହାଯାଇଛି। ଏଥିପାଇଁ ଏକ ମନିଟରିଂ ସେଲ୍‌ ଗଠନ ଲାଗି ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ରେ ଇଣ୍ଟର୍ଣ୍ଣସିପ୍‌ କରିବାର ସୁଯୋଗ ପାଇପାରିବେ। ରୁରାଲ୍‌ ମ୍ୟାନେଜମେଣ୍ଟ୍‌, ରୁରାଲ୍‌ ଡେଭଲପ୍‌ମେଣ୍ଟ୍‌, ଶିକ୍ଷା, ପବ୍ଲିକ୍‌ ନୀତି ଓ ସୋସିଆଲ୍‌ ୱାର୍କ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ୍‌ ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ ମାଧ୍ୟମରେ ଏହି ସୁବିଧା ପାଇବେ। ସେହିପରି ଗଣିତ, ବିଜ୍ଞାନ, କମ୍ପ୍ୟୁଟର୍‌ ବିଜ୍ଞାନ, ଦକ୍ଷତା ବିକାଶ କ୍ଷେତ୍ରରେ ସରକାରୀ ସ୍କୁଲ୍‌ ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ସ୍କୁଲ୍‌ ଓ ଛାତ୍ରଛାତ୍ରୀ ଯେପରି ଉପକୃତ ହୋଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ। ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଜୁନ୍‌ ୩ୟ ସପ୍ତାହରୁ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍କୁଲଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିଙ୍କୁ ନେଇ ଟକ୍‌ ସେସନ୍‌ର ଆୟୋଜନ କରାଯିବ। ଇଣ୍ଟରନେଟ୍‌ ସୁବିଧା ନଥିବା ସ୍କୁଲଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ କରି ଭିଡିଓ କନ୍‌ଫରେନ୍ସିଂର ଆୟୋଜନ କରିବାକୁ ଗଣଶିକ୍ଷା ସଚିବ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମି ସହ ମୋ ସ୍କୁଲ୍‌ ଅଭିଯାନ ମିଳିତ ଭାବେ କାର୍ଯ୍ୟ କରିବ। ରୂପାନ୍ତରିତ ବିଦ୍ୟାଳୟରେ ପ୍ରାକ୍ଟିକାଲ ସାଇନ୍ସ କ୍ଲାସ୍‌ ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ୧୦୭୬ଟି ଉଚ୍ଚ ବିଦ୍ୟାଳୟରେ କୋଡିଂ ଶିକ୍ଷାର ପ୍ରସାର ପାଇଁ ଦୁଇଟି ପର୍ଯ୍ୟାୟରେ ‘କୋଡ୍‌ କ୍ଲବ୍‌’ ଆରମ୍ଭ ହେବ। ଜୁନ୍‌ରେ ୪୪୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରତିଷ୍ଠିତ କର୍ପୋରେଟ୍‌ ସଂସ୍ଥାଙ୍କ ସହ ମିଳିତ ଭାବେ ମୋ ସ୍କୁଲ ଅଭିଯାନ କାର୍ଯ୍ୟ କରିବ‌ାକୁ ସ୍ଥିର ହୋଇଛି।

ଏଥର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୬ଟି ଜିଲ୍ଲାର ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ମାସକ ମଧ୍ୟରେ ୧୩ ହଜାର ୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ି ହୋଇ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧ କୋଟି ୬୮ ଲକ୍ଷ ଟଙ୍କା ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି। ବାଲେଶ୍ୱରରେ ସର୍ବାଧିକ ୧ କୋଟି ୩୬ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି।
ଭର୍ଚୁଆଲ ବୈଠକରେ ‘ମୋ ସ୍କୁଲ’ ସଦସ୍ୟ ସଚିବ ତଥା ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ମୋ ସ୍କୁଲ୍‌ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାରଙ୍କ ସମେତ ବିଭିନ୍ନ ବିଭାଗର ନିର୍ଦେଶକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର