ରାଜ୍ୟର ୩୦ଟି ଜିଲ୍ଲାର ଶହେ ହାଇସ୍କୁଲ ହେବ ଉତ୍କର୍ଷ

ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାର ୧୦୦ଟି ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)କୁ ଉତ୍କର୍ଷ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ବିଦ୍ୟାଳୟ ଚିହ୍ନଟ କରାଯିବା ସହ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଷ୍ଟୁଡେଣ୍ଟ ହେଲ୍‌ପ ଲାଇନ୍‌ ନମ୍ବରକୁ ସରଳୀକରଣ କରାଯାଇ ୫ ଡିଜିଟ୍‌(୧୪୪୧୭) କରାଯାଇଛି। ଏଥିସହ ଷ୍ଟୁଡେଣ୍ଟ ଫିଡ୍‌ବ୍ୟାକ୍‌ ଡାଇରି ଓ ଏସ୍‌ଏମ୍‌ସି/ପିଟିଏ ଡାଇରି ବ୍ୟବସ୍ଥା ପ୍ରଚଳନ କରାଯାଉଛି। ପାଇଲଟ୍‌ ପ୍ରକଳ୍ପ ଭାବେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ପ୍ରକୃତ ସମୟ ଉପସ୍ଥାନ ପାଇଁ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଗ୍ରହଣ କରାଯିବ। ‘୫-ଟି’ ମାଧ୍ୟମରେ ବିଭାଗୀୟ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ପୂର୍ବାହ୍ନରେ ଲୋକସେବା ଭବନ ପ୍ରକୋଷ୍ଠରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ‘୫-ଟି’ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ‘୫-ଟି’ ଆଧାରରେ ସମସ୍ତ କାର୍ଯ୍ୟକ୍ରମ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌, ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଓସେପା ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ବିଭାଗୀୟ ଅର୍ଥ ପରାମର୍ଶଦାତା ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର