କଟକ : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି)ର ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଯେଉଁମାନେ ନମ୍ବର ପ୍ଲେଟ୍ ପାଇଁ ସ୍ଲଟ୍ ବୁକ୍ କରିଛନ୍ତି, ଯାଞ୍ଚ ସମୟରେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆଜି ସ୍ପଷ୍ଟ କରିଛନ୍ତି।
ଯୁଗ୍ମ ପରିବହନ କମିସନର ଦୀପ୍ତିରଞ୍ଜନ ପାତ୍ରଙ୍କ ସୂଚନା ଅନୁସାରେ, ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ମାଲିକଙ୍କ ନିକଟରେ ଅନ୍ଲାଇନ୍ ବୁକିଂ ସ୍ଲିପ୍ ଥିଲେ ଇ-ଚାଲାଣ କିମ୍ବା ଜରିମାନା ସଂଗ୍ରହ କରାଯିବ ନାହିଁ। ଅନଲାଇନ୍ ବୁକିଂରେ ହଠାତ୍ ବୃଦ୍ଧି ହେତୁ କେତେକ ଗାଡ଼ି ମାଲିକ ଏଚ୍ଏସ୍ଆରପି ଫିଟ୍ ପାଇଁ ସ୍ଲଟ୍ ପାଇବାରେ ଅସୁବିଧା ଭୋଗୁଛନ୍ତି। ସେପ୍ଟମ୍ବର ୨୫ ତାରିଖ ସୁଦ୍ଧା ମୋଟ୍ ୧୬ ଲକ୍ଷ ୭୮ ହଜାର ୧୬୩ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି। ସେଥିମଧ୍ୟରୁ ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ ଗାଡିରେ ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ ଲଗାଯାଇଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏଚ୍ଏସ୍ଆରପି ସହିତ ସଂଲଗ୍ନ ହୋଇନଥିଲେ କିମ୍ବା ଗାଡ଼ି ମାଲିକଙ୍କ ପାଖରେ ଅନ୍ଲାଇନ୍ ବୁକିଂ ସ୍ଲିପ୍ ନଥିଲେ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ ପରିବହନ ବିଭାଗ ୧ ଜୁନ ୨୦୨୨ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ ଏଚ୍ଏସ୍ଆର୍ପି ବାଧ୍ୟତାମୂଳକ କରିଛି। ଗାଡ଼ିର ଶେଷ ନମ୍ବର ୧,୨, ୩,୪ ଥିଲେ ସେପ୍ଟେମ୍ବର ୩୦, ସେହିପରି ୫କିମ୍ବା ୬ ଥିଲେ ୩୧ ଅକ୍ଟୋବର, ୭ କିମ୍ବା ୮ ଥିଲେ ୩୦ ନଭେମ୍ବର, ୯ କିମ୍ବା ୦ ଥିଲେ ୩୧ ଡିସେମ୍ବର ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। ହାଇସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଉପାଦେୟତା ସମ୍ପର୍କରେ ଶ୍ରୀ ପାତ୍ର କହିଛନ୍ତି, ‘ଚୋରମାନେ ପୁରୁଣା ନମ୍ବର ପ୍ଲେଟ୍ଗୁଡ଼ିକୁ ସହଜରେ ଅପବ୍ୟବହାର କରୁଥିଲେ। କିନ୍ତୁ ଏଚ୍ଏସ୍ଆର୍ପି ପ୍ଲେଟ୍ଗୁଡ଼ିକ ବଦଳାଇବା କଷ୍ଟକର ହୋଇଥାଏ। ’