ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା: ପୁଣି ସମୟ ନେଲା ପରିବହନ ବିଭାଗ

ହାଇକୋର୍ଟଙ୍କ ପ୍ରଶ୍ନର ଉତ୍ତର ରଖିପାରିଲେନି ପରିବହନ କମିସନର

କଟକ : ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍(ଏଚ୍‌ଏସ୍‌ଆର୍‌ପି) ପ୍ରସଙ୍ଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ୨୦୨୨, ଅକ୍ଟୋବର ୬ରେ ଲେଖିଥିବା ଚିଠିର ଉତ୍ତର ରାଜ୍ୟ ପରିବହନ କମିସନର ଏ ପର୍ଯ୍ୟନ୍ତ ଦେଇଛନ୍ତି କି ନାହିଁ, ସେ ନେଇ ହାଇକୋର୍ଟରେ କୌଣସି ତଥ୍ୟ ଆଜି ଉପସ୍ଥାପନ କରାଯାଇ ନାହିଁ। ପୁରୁଣା ଗାଡ଼ି ସଂଖ୍ୟା ଆକଳନ ଓ ସମୟସୀମା ପୁନଃନିର୍ଦ୍ଧାରଣ ସହିତ ଅନ୍ୟ କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତରଫରୁ ଲେଖାଯାଇଥିବା ଏହି ଚିଠିର ଉତ୍ତର ଦିଆଯାଇଛି କି ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। କିନ୍ତୁ, ପରିବହନ କମିସନରଙ୍କ ତରଫରୁ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ନଥିଲା। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ପରିବହନ କମିସନରଙ୍କ ତରଫରୁ ଅଧିକ ସମୟ ଲୋଡ଼ାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥି ପାଇଁ ପରିବହନ କମିସନରଙ୍କୁ ମହଲତ ପ୍ରଦାନ କରିବା ସହିତ ନଭେମ୍ବର ୩୦କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ସୋମବାର ଦିନ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ପ୍ରତିଜବାବ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୧୦-୧୧ରୁ ୨୦୧୮-୧୯ ବର୍ଷ ଭିତରେ ରାଜ୍ୟରେ ପଞ୍ଜିକୃତ ହୋଇଥିବା ଗାଡ଼ି ସଂଖ୍ୟା ପ୍ରାୟ ୪୯ ଲକ୍ଷ। ଏଥିସହିତ ଏହାପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରୁ କେତେକର ଫିଟନେସ୍ ନବୀକରଣ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ପ୍ରାୟ ୫୦ରୁ ୬୦ ଲକ୍ଷ ପୁରୁଣା ଗାଡ଼ିରେ ଏଚ୍‌ଏସ୍‌ଆରପି ଲାଗିବ। ୨୦୨୨, ନଭେମ୍ବର ୧୪ ସୁଦ୍ଧା ରାଜ୍ୟରେ ମାତ୍ର ୩୧ ଲକ୍ଷ ଗାଡ଼ି ମାଲିକ ଏଚ୍‌ଏସ୍‌ଆର୍‌ପି ବୁକିଂ କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୧୫ ଲକ୍ଷରେ ଏଚ୍‌ଏସ୍‌ଆର୍‌ପି ଲାଗିଛି। ଏହାର ଉତ୍ତରରେ ରାଜ୍ୟ ପରିବହନ ବିଭାଗ ତରଫରୁ ଦର୍ଶାଯାଇଥିଲା ଯେ ନଭେମ୍ବର ୨୦ ସୁଦ୍ଧା ପ୍ରାୟ ୩୫ ଲକ୍ଷ ୯୨୭ ଗାଡ଼ି ଏଚ୍‌ଏସ୍‌ଆର୍‌ପି ପାଇଁ ପଞ୍ଜୀକରଣ କରିଛନ୍ତି। ଏଚ୍‌ଏସ୍‌ଆର୍‌ପି ସ୍ଲଟ୍ ବୁକିଂରେ କୌଣସି ଅସୁବିଧା ନାହିଁ। ପ୍ରଥମ ପର୍ଯ୍ୟାୟର ନିର୍ଦ୍ଦିଷ୍ଟ ଶେଷ ନମ୍ବର ଥିବା ଗାଡ଼ି ଗୁଡିକର ଶେଷ ତାରିଖ ନଭେମ୍ବର ୩୦ ରହିଛି। ଏଥିସହିତ ଏଚ୍‌ଏସ୍‌ଆର୍‌ପି ଲଗାଇବାର ‌ଶେଷ ପର୍ଯ୍ୟାୟର ଚୂଡ଼ାନ୍ତ ତାରିଖ ୨୦୨୩, ଫେବ୍ରୁଆରି ୨୮ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏଚ୍‌ଏସ୍‌ଆର୍‌ପି ସମୟସୀମା ବୃଦ୍ଧି କରାଯାଇଥିଲା। ଆଉ ସମୟସୀମା ବୃଦ୍ଧି କରାଯିବା ପାଇଁ କିଛି ଯୁକ୍ତିଯୁକ୍ତ କାରଣ ନାହିଁ।

ଅନ୍ୟପକ୍ଷରେ, ବିଭିନ୍ନ ଶେଷ ନମ୍ବର ଥିବା ଗାଡ଼ି ପାଇଁ ଭିନ୍ନ ଭିନ୍ନ ସମୟସୀମା ଧାର୍ଯ୍ୟ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଏହାପଛରେ କ’ଣ କାରଣ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏଥସହିତ, ଆବେଦନକାରୀଙ୍କ ତରଫରୁ ଅକ୍ଟୋବର ୬ରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ରାଜ୍ୟ ପରିବହନ କମିସନରଙ୍କୁ ଲେଖା ଯାଇଥିବା ଚିଠି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୨, ମେ ୨୬ରେ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ସଂପର୍କିତ ନିର୍ଦ୍ଦେଶନାମା ସରକାର ଜାରି କରିଥିଲେ। ଏହାକୁ ନେଇ ମାମଲା ରୁଜୁ ପରେ ବିଭିନ୍ନ ସମୟରେ ସମୟସୀମା ବୃଦ୍ଧି କରାଯାଇ ଏବେ ୨୦୨୩, ଫେବ୍ରୁଆରିକୁ ଶେଷ ସମୟସୀମା ଭାବେ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ପବିତ୍ରମୋହନ ଖଟୁଆ ଓ ମାଧବ ମହାନ୍ତିଙ୍କ ତରଫରୁ ଆଇନଜୀବୀ କାଜଲ ସାହୁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର