କଟକ : ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ (ଏଚଏସ୍ଆରପି) ମାମଲାରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।
ସ୍ଲଟ୍ ବୁକିଂର ସାନି ସ୍ଥିତି ସଂକ୍ରାନ୍ତରେ ସବିଶେଷ ତଥ୍ୟ ସହିତ ସମୟସୀମା ବୃଦ୍ଧି କରାଯାଇଥିବା ନେଇ ଏସ୍ଟିଏ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ମୋ ସେବା କେନ୍ଦ୍ର ଗୁଡିକରେ ଏଚ୍ଏସ୍ଆର୍ପି ବୁକିଂ ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁ ଅଞ୍ଚଳରେ ସବୁ ଇଣ୍ଟରନେଟର ପର୍ଯ୍ୟାପ୍ତ ସୁବିଧା ନାହିଁ ସେଠାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଥିବା ସମସ୍ତ ୩୮ଟି ଆରଟିଓ ଓ ଏଆରଟିଓ କାର୍ଯ୍ୟାଳୟରେ ଏଚଏସଆରପି ବୁକିଂ ପାଇଁ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଥିସହିତ ଏଚଏସଆରପିର ଫିଟ୍ମେଣ୍ଟ ଓ ଗୁଣାତ୍ମକ ଯାଞ୍ଚ ପାଇଁ ସ୍କ୍ବାଡ୍ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ ଲଗାଇବା ବେଳେ ଯଦି ଏଥିରେ କିଛି କ୍ଷତି ହୁଏ , ତେବେ ଗାଡ଼ି ମାଲିକ ବଦଳ ପ୍ଲେଟ୍ ପାଇଁ ବୁକିଂ କରି ପାରିବେ। ଲୋକମାନେ ଯେଭଳି ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ସମଗ୍ର ପ୍ରକ୍ରିୟାକୁ ତଦାରଖ କରାଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏସଟିଏର ସତ୍ୟପାଠ ଉପରେ ଆବେଦନକାରୀ ପ୍ରତି ଜବାବ ଦାଖଲ କରିବେ। ଏଥିସହିତ ସାନି ସ୍ଥିତି ସଂକ୍ରାନ୍ତରେ ପରିବହନ ବିଭାଗ ଅବଗତ କରିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ସ୍ଲଟ୍ ବୁକିଂର କ’ଣ ସ୍ଥିତି ରହିଛି, ସେ ନେଇ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।