ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବିବାଦ: ଲାଗୁ କରିବାରେ ଓଡ଼ିଶା ୨୪ତମ ରାଜ୍ୟ

ଭୁବନେଶ୍ବର : ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ସମସ୍ତ ପୁରୁଣା ଗାଡ଼ିରେ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ବାଧ୍ୟତାମୂଳକ କରିଥିବାବେଳେ ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ରାଜ୍ୟ ସରକାର ଏହା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ହେଲେ ରାଜ୍ୟ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କେବଳ ଓଡ଼ିଶା ନୁହେଁ, ଦେଶର ୨୩ ରାଜ୍ୟ ଏହାକୁ ଲାଗୁ କଲେଣି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ହିଁ ପଦକ୍ଷେପ ନିଆଯାଇଛି। ଦୁଇ ଦିନରେ ୧୫ ହଜାରରୁ ଅଧିକ ଲୋକ ଏଥିପାଇଁ ଆଗ୍ରହ ଦେଖାଇ ଆବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କେତେ ଉପଯୋଗୀ? ଏମିତି ଗୋଟିଏ ପ୍ରଶ୍ନ ଉପରେ ବିତର୍କ ବଢ଼ିବାରେ ଲାଗିଛି। ରାଜ୍ୟରେ ମାତ୍ର ୪ଟି ସ୍ବୀକୃତିପ୍ରାପ୍ତ ସଂସ୍ଥାକୁ ଏହି ନମ୍ବର ପ୍ଲେଟ୍‌ ତିଆରି ପାଇଁ ଅନୁମତି ଦିଆଯାଇଥିବାରୁ ଓଡ଼ିଶା ନମ୍ବର ପ୍ଲେଟ୍‌ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ସଂଘ ଏହାକୁ ତୀବ୍ର ବିରୋଧ କରିଥିଲା। ଏମିତିକି ଏହି ନମ୍ବର ପ୍ଲେଟ୍‌‌‌ରେ କିରାସିନି ଓ ପେଟ୍ରୋଲ୍‌ ଲାଗିଲେ ଲିଭି ଯାଉଥିବା ଏବଂ ନିମ୍ନମାନର ଥିବା କହିଥିଲା। କିଭଳି ଲିଭି ଯାଉଛି, ତା’ର ଡେମୋ ମଧ୍ୟ ଦେଖାଇଥିଲା। ନମ୍ବର ପ୍ଲେଟ୍‌ ତିଆରି କାମ ମାତ୍ର ୪ଟି ସଂସ୍ଥାକୁ ଦିଆଯିବା ଦ୍ବାରା ରାଜ୍ୟର ୨୦ ହଜାର ଆର୍ଟିଷ୍ଟଙ୍କ ପରିବାର ସଂକଟରେ ପଡ଼ିଥିବା ସଂଘ ଦର୍ଶାଇଛି। ତେଣୁ ରାଜ୍ୟର ଆର୍ଟିଷ୍ଟମାନଙ୍କୁ ଅନୁମତି ଦେବାକୁ ସଂଘ ଦାବି କରିଛି।

ପରିବହନ କମିସନରଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କହିବା କଥା ହେଉଛି, ୨୦୧୮ ମସିହାରେ ସମସ୍ତ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ୨୦୧୯ ମସିହା ଏପ୍ରିଲ୍‌ ୧ତାରିଖରୁ ସମସ୍ତ ନୂଆ ଗାଡ଼ିରେ ଏହି ନମ୍ବରପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ ହୋଇଥିଲା। ତେବ‌େ ପୁରୁଣା ଗାଡ଼ିରେ ଏହି ନମ୍ବର ପ୍ଲେଟ୍‌ ବ୍ୟବହାର ପାଇଁ ୨୦୨୦ ମସିହାରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୫୦ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତିରେ ସଂଶୋଧନ କରିଥିଲେ। ହେଲେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଏନେଇ ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ କରିଥିବା ବ‌େଳେ ଗତ ୨୦୨୧ ମସିହା ଅକ୍ଟୋବରରେ ସୁପ୍ରିମ୍‌କୋର୍ଟ ମାମଲାର ଶୁଣାଣି କରି ଏହି ନମ୍ବର ପ୍ଲେଟ୍‌କୁ ସମସ୍ତ ରାଜ୍ୟ ବ୍ୟବହାର କରିବା ପାଇଁ ନିର୍ଦେଶ ଦେଇଥିଲେ। ତେବେ ପୂର୍ବରୁ ୨୩ଟି ରାଜ୍ୟରେ ଏହି ନିୟମ ଲାଗୁ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ଲାଗୁ କରାଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ଏବେ ପୋର୍ଟାଲ୍ (siam.in) ମାଧ୍ୟମରେ ନମ୍ବର ପ୍ଲେଟ୍‌ ବୁକ୍ କରିପାରିବେ ଏବଂ ଗାଡ଼ି ନିର୍ମାତାଙ୍କ ଦ୍ବାରା ଅନୁମୋଦିତ ଅନ୍‌ଲାଇନ୍‌ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ। ଯାହାଦ୍ବାରା ସ୍ୱଚ୍ଛତା ବଜାୟ ରଖିବା ସହ ଗାଡ଼ି ମାଲିକଙ୍କଠାରୁ କେହି ଅଧିକ ଟଙ୍କା ନେଇପାରିବେ ନାହିଁ। ସେହିଭଳି ସ୍ଲଟ ବୁକିଂରେ ଭିଡ଼କୁ ନିୟନ୍ତ୍ରଣ କରିହେବ। ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ। ଲୋକଙ୍କ ସୁବିଧା ଅନୁଯାୟୀ, ନିଜର ଡିଲର, ସ୍ଥାନ ଏବଂ ତାରିଖ ଚୟନ କରିପାରିବେ। ଜୁନ୍‌ ପହିଲାରୁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଥିବା ବେଳେ ଗତ ଦୁଇ ଦିନରେ ୧୫ହଜାରରୁ ଊର୍ଧ୍ବ ଲୋକ ଆବେଦନ କରିସାରିଲେଣି ବୋଲି ପରିବହନ ବିଭାଗ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର