ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ନୂଆ ବିଜ୍ଞପ୍ତି: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମା ମାସେ ବଢ଼ିଲା

କଟକ : ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲଗାଇବାର ସମୟସୀମା ଆଉ ଏକ ମାସ ବୃଦ୍ଧି କରାଯାଇଛି। ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ସଂପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ନିଷ୍ପତ୍ତି ସଂପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ଏପ୍ରିଲ ୨୦୧୯ ପୂର୍ବରୁ କିଣା ଯାଇଥିବା ଯେଉଁ ଗାଡି ଗୁଡିକର ନମ୍ବର ୧ ଓ ୨ରେ ଶେଷ ହେଉଥିବ ସେମାନଙ୍କ ପାଇଁ ନୂଆ ନମ୍ବର ପ୍ଲେଟ୍ ଲଗାଇବା ସମୟସୀମା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଛି। ଏହି ସମୟ ଭିତରେ ଏବେ ଗାଡି ପାଇଁ ସ୍ଲଟ୍ ବୁକିଂ ହୋଇପାରିବ। ସେହିଭଳି ଯେଉଁ ଗାଡି ଗୁଡିକର ନମ୍ବର ୩ ଓ ୪ ନମ୍ବରରେ ଶେଷ ହେଉଥିବ ସେମାନଙ୍କ ପାଇଁ ମଧ୍ୟ ୩୧ ଅକ୍ଟୋବର ସମୟସୀମା ଧାର୍ଯ୍ୟ କରାଯାଇଛି। ପଞ୍ଜୀକରଣ ନମ୍ବର ୫ ଓ ୬ରେ ଶେଷ ହେଉଥିଲେ ସେମାନଙ୍କ ପାଇଁ ନଭେମ୍ବର ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଯେଉଁ ଗାଡ଼ିର ନମ୍ବର ୭ ଓ ୮ରେ ଶେଷ ହେଉଥିବ ସେହି ଗାଡ଼ିଗୁଡିକ ପାଇଁ ୩୧ ଡିସେମ୍ବର ଓ ୯ ଏବଂ ୦ରେ ଶେଷ ହେଉଥିବା ଗାଡ଼ି ପାଇଁ ୩୧ ଜାନୁଆରି ୨୦୨୩କୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସ୍ଲଟ୍ ବୁକିଂ କରି ପାଖରେ ରସିଦ ରଖିଥିଲେ ଗାଡି ଯାଞ୍ଚ ବେଳେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ ନାହିଁ ବୋଲି ପୂର୍ବରୁ ବିଭାଗ ସ୍ପଷ୍ଟ କରିଛି। ପ୍ରଥମ ପର୍ଯ୍ୟାୟ ସ୍ଲଟ୍ ବୁକିଂ ପାଇଁ ସେପ୍ଟେମ୍ବର ୩୦ ତାରିଖ ଶେଷ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏହାକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ହାଇକୋର୍ଟ ପରିବହନ ବିଭାଗକୁ ଜବାବ ତଲବ କରିଥିଲେ।

ସମ୍ବନ୍ଧିତ ଖବର