ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟସୀମା ବଢ଼ିଲା

କଟକ : ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍(ଏଚ୍‌ଏସ୍‌ଆର୍‌ପି) ଡେଡ୍‌ଲାଇନ୍‌ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପଞ୍ଜୀକରଣର ଶେଷ ନମ୍ବର ୧, ୨, ୩, ୪ ଥିବା ଗାଡ଼ିଗୁଡିକ ପାଇଁ ପୂର୍ବରୁ ନଭେମ୍ବର ୩୦ ତାରିଖ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ଅବଧି ଆଉ ଏକ ମାସ ବଢିଛି। ହାଇକୋର୍ଟ ଆଜି ଏପରି ନିର୍ଦ୍ଦେଶ ଦେବାସହିତ ଏଚ୍‌ଏସ୍‌ଆର୍‌ପି ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟ‌ରେ ରାଜ୍ୟ ପରିବହନନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ତରଫରୁ ଯୁଗ୍ମ ପରିବହନ କମିସନର୍‌(ବୈଷୟିକ) ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ଓଇଏମ୍ ଭେଣ୍ଡର୍‌ଙ୍କ ସ୍ଲଟ୍ ବୁକିଂ କ୍ଷମତା ଦିନ ପ୍ରତି ୫୭ ହଜାରକୁ ବୃଦ୍ଧି ପାଇଛି। ଅକ୍ଟୋବର ୨୬ରେ ପ୍ରତିଦିନ ୨୫ ହଜାର ସ୍ଲଟ୍‌ ବୁକିଂ ହୋଇ ପାରୁଥିବା ବେଳେ ନଭେମ୍ବର ମାସରେ ସ୍ଲଟ୍‌ ବୁକିଂ କ୍ଷମତା ୩୦ ହଜାରକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଦିନକୁ ୫୭ ହଜାର ସ୍ଲଟ୍‌ ବୁକିଂ ପାଇଁ ବ୍ୟବସ୍ଥା ହୋଇଛି। ସବୁ ଆର୍‌ଟିଓ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି। ଏଥିପାଇଁ କ୍ୟାମ୍ପ୍‌ କାର୍ଯ୍ୟାଳୟ ମଧ୍ୟ କରାଯାଇଛି।

ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ କୁମାର ପରିଜା ଦର୍ଶାଇଥିଲେ ଯେ ୧, ୨, ୩, ୪ ଶେଷ ନମ୍ବର ଥିବା ଗାଡ଼ିଗୁଡ଼ିକ ପାଇଁ ସମୟସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଯଦି ଜଣେ ବ୍ୟକ୍ତି ଏଚ୍‌ଏସ୍‌ଆର୍‌ପି ବୁକ୍ କରିଥିବେ, କିନ୍ତୁ ଗାଡ଼ିରେ ନୂଆ ପ୍ଲେଟ୍‌ ଲଗାଯାଇ ନଥିବ, ତେବେ ତାଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନିଆଯିବ ନାହିଁ। କେବଳ ଏଚ୍‌ଏସ୍‌ଆର୍‌ପି ବୁକିଂ କରିଥିଲେ କୌଣସି ପ୍ରକାର ଜରିମାନା ସଂପୃକ୍ତ ଗାଡ଼ି ମାଲିକଙ୍କ ନିକଟରୁ ଆଦାୟ କରାଯିବ ନାହିଁ ବୋଲି ଆଡଭୋକେଟ୍‌ ଜେନେରାଲ ଦର୍ଶାଇଥିଲେ। ଅନ୍ୟପକ୍ଷରେ, ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କାଜଲ ସାହୁ ଦର୍ଶାଇଥିଲେ ଯେ ଏଚ୍‌ଏସ୍‌ଆର୍‌ପି ବୁକିଂ କ୍ଷେତ୍ରରେ ଏବେ ମଧ୍ୟ କେତେକ ବୈଷୟିକ ସମସ୍ୟା ରହିଛି। ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ଓ ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ପ୍ରଦାନ କରିବା ଆବଶ୍ୟକ ନାହିଁ ବୋଲି କହିବା ସହିତ ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଯଦି ଭବିଷ୍ୟତରେ ବୈଷୟିକ ସମସ୍ୟା ଦେଖାଦିଏ, ତେବେ ଆବେଦନକାରୀ ଉପଯୁକ୍ତ ନିର୍ଦ୍ଦେଶ ପାଇଁ ହାଇକୋର୍ଟରେ ଆବେଦନ କରି ପାରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ପବିତ୍ର ମୋହନ ଖଟୁଆ ଓ ମାଧବ ମହାନ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜ୍ୟ ପରିବହନ କମିସନର ତଥା ଏସ୍‌ଟିଏ ଅଧ୍ୟକ୍ଷଙ୍କ ତରଫରୁ ଏଚ୍‌ଏସ୍‌ଆର୍‌ପି ସମୟସୀମା ପ୍ରସଙ୍ଗକୁ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପଞ୍ଜୀକରଣର ଶେଷ ନମ୍ବର ୧, ୨, ୩, ୪ ଥିବା ଗାଡ଼ିଗୁଡିକ ପାଇଁ ସମୟସୀମା ୨୦୨୨, ଡି‌ସେମ୍ବର ୩୧କୁ ବୃଦ୍ଧି କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏପରି ଏପରି ସମୟସୀମା ବୃଦ୍ଧି କରାଯାଇଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ନମ୍ବରଗୁଡିକ ପାଇଁ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ତାରିଖ ଅପରିବର୍ତ୍ତିତ ରହିଛି। ପଞ୍ଜୀକରଣର ଶେଷ ନମ୍ବର ୧, ୨, ୩, ୪, ୫, ୬ ପାଇଁ ସମୟସୀମା ୨୦୨୨, ଡିସେମ୍ବର ୩୧ ରହିଥିବା ବେଳେ ୭, ୮ ଲାଗି ୨୦୨୩, ଜାନୁଆରି ୩୧ ଓ ୯, ୦ ଲାଗି ୨୦୨୩, ଫେବ୍ରୁଆରି ୨୮ ସମୟସୀମା ଧାର୍ଯ୍ୟ କରାଯାଇଛି ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର