ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପ୍ରସଙ୍ଗ: ବିନା ଭିତ୍ତିଭୂମିରେ ସମୟ ଧାର୍ଯ୍ୟକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ

ଦୁଇଦିନ ଭିତରେ ଜବାବ ରଖିବେ ରାଜ୍ୟ ସରକାର, ୩୦ରେ ପରବର୍ତ୍ତୀ ଶୁଣାଣି

କଟକ: ଆବଶ୍ୟକ ଭିତ୍ତିଭୂମି ନ ଥାଇ ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍( ଏଚ୍‌ଏସ୍‌ଆର୍‌ପି) ଲଗାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସଂପର୍କିତ ଜନସ୍ବାର୍ଥ ମାମଲାକୁ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜ‌ଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାପୂର୍ବରୁ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ କ’ଣ ସମାଧାନ ହୋଇପାରିବ, ସେ ନେଇ ଜଣାଇବାକୁ ବି କହିଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୨୨, ମେ ୨୬ରେ ଏଚ୍‌ଏସ୍‌ଆର୍‌ପି ଗାଡ଼ିରେ ଲଗାଇବା ସଂପର୍କିତ ନିର୍ଦ୍ଦେଶନାମା ସରକାର ଜାରି କରିଥିଲେ। ଏହାପୂର୍ବରୁ ୨୦୧୮ ମସିହାରେ କେନ୍ଦ୍ର ସରକାର ଏଚ୍‌ଏସ୍‌ଆର୍‌ପି ସଂପର୍କିତ ନିୟମ କରିଥିଲେ। ୨୦୧୯ ଏପ୍ରିଲ ୧ ରୁ ବିଭିନ୍ନ ମଟରଯାନରେ ଏଚ୍‌ଏସ୍‌ଆର୍‌ପି ଲାଗୁ କରାଯାଇଛି। ତା’ପୂର୍ବରୁ ଥିବା ଯାନଗୁଡିକରେ ମଧ୍ୟ ହାଇସିକୁରିଟି ନମ୍ବର୍‌ ପ୍ଲେଟ ବା ଏଚ୍‌ଏସ୍‌ଆର୍‌ପି ଫିଟ୍‌ମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରାଳୟ କହିଥିଲେ। କିନ୍ତୁ, ଏହାର ଚାରିବର୍ଷ ପରେ ରାଜ୍ୟ ସରକାର ହଠାତ୍‌ ନୂଆ ପୁରୁଣା ସବୁ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ବାଧ୍ୟତାମୂଳକ କରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୧ରୁ ନିର୍ଦ୍ଦିଷ୍ଟ ନମ୍ବର ଥିବା ଗାଡ଼ିରେ ଯଦି ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିବ, ତେବେ ଜରିମାନା ଆଦାୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ, ଯେଉଁମାନେ ଅନ୍‌ଲାଇନରେ ଏଚ୍‌ଏସ୍‌ଆର୍‌ପି ପାଇଁ ସ୍ଲଟ୍‌ ବୁକ୍ କରିଥିବେ ସେମାନେ ଏ ସଂପର୍କିତ ପ୍ରମାଣପତ୍ର ଦେଖାଇଲେ ସେମାନଙ୍କ ନିକଟରୁ ଜରିମାନା ଅାଦାୟ କରାଯିବ ନାହିଁ ବୋଲି ସରକାର ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆହୁରି ଦର୍ଶାଯାଇଥିଲା ଯେ ଅନ୍‌ଲାଇନ୍‌ ବୁକିଂ କରିଥିଲେ ମଧ୍ୟ କଟକ-ଭୁବନେଶ୍ବର କମିସନରେଟ ପୁଲିସ ଅଞ୍ଚଳରେ ସିସିଟିଭି ଫୁଟେଜ୍‌ ଓ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ମୋବାଇଲରେ ଉଠାଉଥିବା ଫଟୋ ଆଧାରରେ ଆଇନ ଉଲ୍ଲଂଘନ ପାଇଁ ଜରିମାନା ଧାର୍ଯ୍ୟ କରାଯାଉଛି।

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମଧ୍ୟ ଶୁଣାଣି ସମୟରେ ଏହି ପ୍ରସଂଗରେ ସମସ୍ୟା ରହିଥିବା ଦର୍ଶାଇଥିଲେ। ଅନ୍‌ଲାଇନ୍‌ରେ ଏଚ୍‌ଏସ୍‌ଆର୍‌ପି ପାଇଁ ସ୍ଲଟ୍‌ ବୁକ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଥିଲେ। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଯେଉଁମାନଙ୍କ କମ୍ପ୍ୟୁଟର୍‌ ନାହିଁ ବା ଏ ସଂପର୍କିତ ଜ୍ଞାନ ନାହିଁ ସେମା‌ନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି ଜାଣିବାକୁ ଚାହିଁଥିଲେ। ଏଥିସହିତ ରାଜ୍ୟର ଗ୍ରାମାଞ୍ଚଳର ଲୋକମାନେ ଅନ୍‌ଲାଇନ୍‌ ବୁକିଂ କରିବା ପ୍ରକୃତ ପକ୍ଷେ ସମ୍ଭବ ନୁହେଁ ବୋଲି ହାଇକୋର୍ଟ କହିଥିଲେ। ଏହି ପ୍ରସଙ୍ଗରେ ବାସ୍ତବବାଦୀ ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ସରକାରଙ୍କୁ ଦୁଇଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ି ମାଲିକ ତଥା ବରିଷ୍ଠ ନାଗରିକ ପବିତ୍ର ମୋହନ ଖଟୁଆ ଓ ମାଧବ ମହାନ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ରାଜ୍ୟ ସରକାର, ପରିବହନ ବିଭାଗ, ପୁଲିସ ଡିଜି, ଭୁବେନଶ୍ବର-କଟକ ପୁଲିସ କମିସନର୍‌ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କାଜଲ୍‌ ସାହୁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର