ଗାଡ଼ିରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ୍‌ କେବେ?

ଟେଣ୍ଡର ପରେ ଟେଣ୍ଡର ଚାଲିଛି, ଫଳ ଶୂନ

ରାଉରକେଲା : ଗାଡ଼ି ଚୋରି ରୋକିବା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ସହଜରେ ଠାବ କରିବା ଲକ୍ଷ୍ୟରେ ସାରା ଦେଶରେ ଉଚ୍ଚ ନିରାପତ୍ତ ସମ୍ପନ୍ନ ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ପ୍ରଚଳନ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ୨୦୦୯ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏଭଳି ଏକ ନିରାପଦ ବ୍ୟବସ୍ଥାକୁ ୨୦୧୨ ଏପ୍ରିଲ୍‌ ୩୦ ସୁଦ୍ଧା କାର୍ଯ୍ୟକାରୀ କରିବା ଲଗି ସୁପ୍ରିମ୍‌ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମ୍‌ କୋର୍ଟ ଏକାଧିକ ବାର ଅନୁରୂପ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଓଡ଼ିଶା ସମେତ କେତେକ ରାଜ୍ୟର ପରିବହନ ବିଭାଗ ଯାନବାହନରେ ଏଚ୍‌ଏସ୍‌ଆର୍‌ପି ବ୍ୟବସ୍ଥା କରିପାରି ନାହାନ୍ତି। ଶେଷରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଏହାର ସ୍ଥିତି ରିପୋର୍ଟ ମାଗିଛନ୍ତି। ଏହାର ଉତ୍ତରରେ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଯେ ଏଚ୍‌ଏସ୍‌ଆର୍‌ପି ପାଇଁ ୨୦୦୯ରୁ ଏ ଯାବତ୍‌ ଟେଣ୍ଡର ପରେ ଟେଣ୍ଡର ଚାଲିଛି। ମାତ୍ର କୌଣସି ସଂସ୍ଥାକୁ ଏଚ୍‌ଏସ୍‌ଆର୍‌ପି ପାଇଁ ଠିକା ଦିଆଯାଇ ନାହିଁ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅନୁସଚିବ ଏସ୍‌.କେ.ଦାଶ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଏଚ୍‌ଏସ୍‌ଆର୍‌ପି ପାଇଁ ୨୦୦୯ରେ ଓଡ଼ିଶା ସରକାର ପ୍ରଥମ ଟେଣ୍ଡର ଆହ୍ଵାନ କରିଥିଲେ। ସର୍ବନିମ୍ନ ମୂଲ୍ୟ ଦର୍ଶାଇଥିବା ସଂସ୍ଥା (ଏଲ୍‌-୧) ଉଚ୍ଚ ନିରାପତ୍ତା ସମ୍ପନ୍ନ ନମ୍ବର ପ୍ଲେଟ୍‌ ପିଛା ଯେଉଁ ମୂଲ୍ୟ ଉଲ୍ଲେଖ କରିଥିଲା, ତାହା ଅନ୍ୟାନ୍ୟ ରାଜ୍ୟରେ ଉପଲବ୍ଧ ଏଚ୍‌ଏସ୍‌ଆର୍‌ପି ଠାରୁ ଯଥେଷ୍ଟ ଅଧିକ। ମୂଲ୍ୟ କ୍ଷେତ୍ରରେ ବୁଝାମଣା ପାଇଁ ଏହି ସଂସ୍ଥା ରାଜି ନହେବାରୁ ୨୦୧୨ ମେ’ ପହିଲାରେ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା। ଏହା ପରେ ୨୦୧୨ ସେପ୍ଟେମ୍ବର ୧୨ରେ ଦ୍ୱିତୀୟ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଟେଣ୍ଡରରେ ମାତ୍ର ଗୋଟିଏ ସଂସ୍ଥା ଅଂଶଗ୍ରହଣ କରିଥିଲା। ଏ କ୍ଷେତ୍ରରେ ସିଙ୍ଗଲ୍‌ ବିଡ୍‌ ଟେଣ୍ଡର୍‌କୁ ତୁରନ୍ତ ବାତିଲ ନକରି ସରକାର କେଉଁ କାରଣରୁ ତାହାକୁ ୨ ବର୍ଷ ପକାଇ ରଖି ଶେଷରେ ୨୦୧୪ ସେପ୍ଟେମ୍ବର ୨୦ରେ ବାତିଲ କଲେ-ତାହା ସନ୍ଦେହଜନକ। ପୁନର୍ବାର ୨୦୧୫ ମେ’ ୪ରେ ସରକାର ତୃତୀୟ ଥର ପାଇଁ ଟେଣ୍ଡର ଆହ୍ଵାନ କରିଥିଲେ।

ସର୍ବନିମ୍ନ ମୂଲ୍ୟ ଦର୍ଶାଇଥିବା ସଂସ୍ଥାର ଏଚ୍‌ଏସ୍‌ଆର୍‌ପି ପିଛା ମୂଲ୍ୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବେଶ ଅଧିକ ହୋଇଥିବାରୁ ଏହି ଟେଣ୍ଡରକୁ ସରକାର ୨୦୧୬ ନଭେମ୍ବର ୨୫ରେ ବାତିଲ କରିଥିଲେ। ଏଚ୍‌ଏସ୍‌ଆର୍‌ପି ବିବାଦ ଏବେ ବିଚାରାଧୀନ ଥିବାରୁ ରାଜ୍ୟ ସରକାର ଆଉ ଟେଣ୍ଡର ଆହ୍ଵାନ କରିନାହାନ୍ତି। ସୁତରାଂ ଆମ ରାଜ୍ୟର ଯାନବାହନରେ ଏଚ୍‌ଏସ୍‌ଆର୍‌ପି କେବେ ଲାଗିବ, ତାହା ଅନିଶ୍ଚିତ।

ଉଲ୍ଲେଖଯୋଗ୍ୟ, ଏଚ୍‌ଏସ୍‌ଆର୍‌ପିର ବିଶେଷତ୍ୱ ହେଲା-ଏହି ଧରଣର ପ୍ଲେଟ୍‌କୁ ଖୋଲିବା ମାତ୍ରେ ସେଥିରେ ଥିବା ନିରାପତ୍ତା ଫିଚର ନଷ୍ଟ ହୋଇଯିବ। ତେଣୁ ଗାଡ଼ିଚୋରମାନେ ପ୍ଲେଟ୍‌ ବଦଳାଇବା ଅସମ୍ଭବ। ଅନ୍ୟ ପକ୍ଷରେ ସେଥିରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀ ଗାଡ଼ିକ ସହଜରେ ଠାବ କରାଯାିପାରିବ। ଅନ୍ୟ ପକ୍ଷରେ ଏଚ୍‌ଏସ୍‌ଆର୍‌ପି ଦ୍ୱାରା ସାରା ଦେଶରେ ଚାଲିଥିବା ଗାଡ଼ିଗୁଡ଼ିକ ସମ୍ପର୍କରେ ତଥ୍ୟ ଆହରଣ ସହଜ ହେବ।

ସମ୍ବନ୍ଧିତ ଖବର