ଏଣିକି ପୁରୁଣା ଗାଡ଼ିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ

ଆଇନ୍‌ ଉଲ୍ଲଂଘନ କଲେ ୧୦ହଜାର ପର୍ଯ୍ୟନ୍ତ ଜରିମାନା, ଡିସେମ୍ବର ଶେଷ ସୁଧା ସବୁଗାଡ଼ିରେ ଲାଗିବ

ଭୁବନେଶ୍ବର : ଏଣିକି ଆଉ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ବିନା କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ି ଏହି ନମ୍ବର ପ୍ଲେଟ୍‌ ଲଗାଇବାକୁ ବାଧ୍ୟ। ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‌ ବ୍ୟବହାର ହେଉଥିବା ବେଳେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍‌ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ ଚଳିବ ନାହିଁ। ନୂଆ ନମ୍ବର ପ୍ଲେଟ୍‌ ବ୍ୟବହାରକୁ ରାଜ୍ୟ ପରିବହନ କର୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବାକୁ କଡ଼ା ନି‌ର୍ଦେଶ ରହିଛି।

ତେବେ ଏହି ନମ୍ବର ପ୍ଲେଟ୍‌ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ସେହିଭଳି ନମ୍ବର ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍‌ ଆପ୍‌ ରଖାଯାଇଛି। ଏସ୍‌ଆଇଏଏମ୍‌ ପୋର୍ଟାଲ୍‌(ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍ଚର୍ସ)ରେ ଆବେଦନ କରିବାକୁ ହେବ। ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ। ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍‌ସି ବାଛିବେ। ହେଲେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍‌ଏସ୍‌ଆର୍‌ପି ପ୍ଲେଟ୍‌ ଓଡ଼ିଶାରେ ମିଳିବ ନାହିଁ। ଯେଉଁମାନେ ଏନ୍‌ଓସି(ନୋ ଅବ୍‌ଜେକ୍ସନ ସାର୍ଟିଫିର୍କେଟ୍‌) ଆଣିଥିବ‌େ, ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ।

ରାଜ୍ୟରେ ୪ ଭେଣ୍ଡର
ଚୋରି କିମ୍ବା ହଜିଲେ ଏଫ୍‌ଆଇଆର୍‌ ନିଶ୍ଚିତ

ସୂଚନାନୁସାରେ ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ୧ ଓ ୨ ରହିଛି, ସେହି ଗାଡ଼ିଗୁଡ଼ିକ ଅଗଷ୍ଟ ୩୧ ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବେ। ସେହିପରି ଶେଷ ଅଙ୍କ ୩ ଓ ୪‌ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର ୩୦, ଶେଷ ଅଙ୍କ ୫ ଓ ୬‌ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର ୩୧, ଶେଷ ଅଙ୍କ ୭ ଓ ୮‌ ଥିବା ଗାଡ଼ି ୩୦ ନଭେମ୍ବର ଏବଂ ଯେଉଁଗାଡ଼ିର ପଞ୍ଜୀକରଣ ନମ୍ବର ଶେଷ ଅଙ୍କ ୯ ଓ ୦‌, ସେମାନେ ୩୧ ଡିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ୍‌ ଲଗାଇବେ। ତେବେ ଚୋରି କି ହଜିଲେ କିମ୍ବା ନମ୍ବର ପ୍ଲେଟ୍‌ ଭାଙ୍ଗିଗଲେ, ମନଇଚ୍ଛା ନମ୍ବର ପ୍ଲେଟ୍‌ ମିଳିପାରିବ ନାହିଁ। ଏଥିପାଇଁ ସମ୍ପୃକ୍ତ ଥାନାରେ ଅର୍ଥାତ ଯେଉଁ ଅଞ୍ଚଳରେ ଘଟଣା ଘଟିଥିବ, ସେହି ଥାନାରେ ଏକ ମାମଲା ରୁଜୁ କରିବାକୁ ହେବ। ଏଫ୍‌ଆଇଆର୍‌ କପି ସହ ଏସ୍‌ଆଇଏଏମ୍‌ ପୋର୍ଟାଲ୍‌ରେ ଆବେଦନ କରିବେ। ଯେଉଁମାନେ ଏହି ନମ୍ବର ପ୍ଲେଟ ବ୍ୟବହାର କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ।

ସୂଚନାଯୋଗ୍ୟ, ଏହି ନମ୍ବର ପ୍ଲେଟ୍‌ ସାଧାରଣ ନମ୍ବର ପ୍ଲେଟ୍‌ଠାରୁ ଭିନ୍ନ। ଏଥିରେ ଏକ ଲେଜର୍‌ କୋଡ୍‌ ରହିଛି, ଯାହାକୁ ଲେଜର ଗନ୍‌ ଦ୍ବାରା ପଢ଼ି ହେବ। ଏହି କୋଡ୍‌କୁ ଆପ୍‌ ‘ବାହାନ’ରେ ମଧ୍ୟ ପଞ୍ଜୀକୃତ କରାଯାଇଥାଏ। ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ଥାଏ। ତେଣୁ ଗାଡ଼ି ଚୋରି ହେଲେ ଠାବ କରିବାକୁ ସହଜ ହେବ। ସେହିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଠାବ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଖଞ୍ଜାଯାଇଛି। ଏହି ନମ୍ବର ପ୍ଲେଟ୍‌ରେ ଥିବା କୋଡ୍‌କୁ ସିସିଟିଭି ରେକର୍ଡ କରି ଉଲ୍ଲଂଘନକାରୀଙ୍କ ଘରକୁ ଚାଲାଣ ପଠାଇବ। ସେହିପରି ଏହି ନମ୍ବର ପ୍ଲେଟ୍‌ଧାରୀ କୌଣସି ଗାଡ଼ି ମାଲିକ ଟ୍ୟାକ୍ସ ଫାଙ୍କିପାରିବ‌େ ନାହିଁ। ବଡ଼ କଥା ହେଉଛି ଏହି ପ୍ଲେଟ୍‌ର ନକଲ କରିହେବ ନାହିଁ। ଗୋଟିଏ ନମ୍ବର ପ୍ଲେଟ୍‌ ପାଇଁ କୋଡ୍‌ ଗୋଟିଏ ରହିବ। ‘ସ୍ନାପ୍‌ ବୋଲ୍ଟିଂ’ ବ୍ୟବସ୍ଥାରେ ଗାଡ଼ିରେ ଖଞ୍ଜାଯାଉଥିବାରୁ ଏହାକୁ ସୁରକ୍ଷିତ ଖୋଲାଯାଇପାରିବ ନାହିଁ। କେହି ଖୋଲିବାକୁ ଉଦ୍ୟମ କଲେ, ତାହା ଭାଙ୍ଗିଯିବ।

ସମ୍ବନ୍ଧିତ ଖବର