କଟକ: ହାଇ‌େଟକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ୫ଟି ଅପିଲର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ତପୀଠ ସମସ୍ତ ଅପିଲର ଏକତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ତିରୁପତିଙ୍କ ଜାମିନ ଆବେଦନ ଉପରେ ୨୦୧୪ରେ ଶୁଣାଣି କରି ୬୩.୫୫କୋଟି ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଟଙ୍କା କଟକ ସ୍ବତନ୍ତ୍ର ଅଦାଲତକୁ ଟ୍ରାନ୍ସଫର ହୋଇ ଆସିଥିଲା। ଏହି ଟଙ୍କା ହାଇଟେକ୍ ଗ୍ରୁପ୍ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ସରକାର ଅଦାଲତରେ ଆବେଦନ କରିଥିଲେ। ଏହି ଟଙ୍କା ଜମା କରିବା ବେଳେ ରହିଥିବା ଆଇନ ପରବର୍ତ୍ତୀ ସମୟରେ ‌ସଂଶୋଧନ କରାଯାଇଥିଲା। କମ୍ପାଉଣ୍ଡିଂ ପ୍ରସଂଗରେ ଆଇନରେ ସଂଶୋଧନ ଅଣାଯାଇଥିଲା। ଟଙ୍କା ଜମା କରିବା ବେଳେ ପ୍ରଚଳିତ ଆଇନ ଅନୁସାରେ ପଦକ୍ଷେପ ନିଆ ନ ଯାଇ ସଂଶୋଧିତ ଆଇନ ଅନୁସରଣ କରାଯିବା ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ଅପିଲ ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ତଦନ୍ତକାରୀ ଅଧିକାରୀ ସତ୍ୟପାଠ ଦାଖଲ କରି ଆବେଦନକାରୀଙ୍କ ବିରୋଧରେ ରହିଥିବା ତଥ୍ୟ ପ୍ରମାଣ ପ୍ରସଂଗରେ ତଥ୍ୟ ଉପସ୍ଥାପନ କରିଥିଲେ।