ଜମାକାରୀ ପାଇବେ ହାଇଟେକ୍‌ର ୬୩ .୫୫ କୋଟି

ସ୍ବତନ୍ତ୍ର ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

କଟକ: ହାଇଟେକ୍ ଇଷ୍ଟେଟ୍ସ୍ ଆଣ୍ଡ୍ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ୬୩ କୋଟି ୫୫ ଲକ୍ଷ ୪୯ ହଜାର ୨୨୭ ଟଙ୍କା ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ କଟକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ୟୁକୋ ବ୍ୟାଙ୍କ କଟକ କଲେକ୍ଟୋରେଟ୍ ଶାଖାରେ ଜମା ଥିବା ଏହି ଟଙ୍କା ସୁଧ ସହିତ ହାଇଟେକ୍ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌(ଇନ୍‌ ଫାଇନାରେନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍‌)ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ହାଇଟେକ୍‌ର ଜବତ ୬୩ କୋଟି ୫୫ ଲକ୍ଷ ୪୯ ହଜାର ୨୨୭ ଟଙ୍କା ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡ଼ି କଟକ ସ୍ବତନ୍ତ୍ର ଅଦାଲତରେ ଆବେଦନ କରିଥିଲେ। ମାମଲାରେ ହାଇ‌େଟକ୍ ଇଷ୍ଟେଟ୍ସ ଏମଡି ତିରୁପତି ପାଣିଗ୍ରାହୀ, ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଓ ସଂସ୍ଥାର ଅନ୍ୟ ପଦାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିବା ବେଳେ ଅଦାଲତ ସେମାନଙ୍କୁ ନୋଟସ୍ ଜାରି କରିଥିଲେ। ଶୁଣାଣି ସମୟରେ ପ୍ରାଧିକୃତ ଅଧିକାରୀ ତଥା କଟକର ପୂର୍ବତନ ଏଡିଏମ୍ ରଘୁରାମ ଆର୍.ଆୟର ଓ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଡିଏସପି ଜ୍ଞାନରଂଜନ ମହାନ୍ତି ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ ହୋଇଥିବା ବିଭିନ୍ନ ନଥିପତ୍ର ଚିହ୍ନଟ କରିଥିଲେ। ସ୍ବତନ୍ତ୍ର ଅଦାଲତ ବିଚାରପତି ଜୁଲାଇ ୨ରେ ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବାବେଳେ ଆଜି ରାୟ ପ୍ରକାଶ ପାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, କ୍ରାଇମବ୍ରାଞ୍ଚ୍‌ ଅର୍ଥନୈତିକ ଅପରାଧ ଶାଖା ହାଇଟେକ୍‌ ସ˚ସ୍ଥା ଅଧୢକ୍ଷ ତିରୁପତି ପାଣିଗ୍ରାହୀ, ଦୁଇ ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଓ ମଧୁସୂଦନ ପାଣିଗ୍ରାହୀଙ୍କ ନାଁରେ ମାମଲା ଦାୟର କରିଥିଲା। ଏହାପରେ ହାଇଟେକର କର୍ପୋରେଟ ଅଫିସ, ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ନର୍ସିଂ କଲେଜ ଜମି ସହିତ ଅନ୍ୟାନ୍ୟ ସ୍ଥାନରେ ଥିବା ଜମି ଓ ବ୍ୟାଙ୍କ ଖାତା କ୍ରାଇମବ୍ରାଞ୍ଚ ଜବତ କରିଥିଲା। ତିରୁପତି ପାଣିଗ୍ରାହୀ ଓ ଅନ୍ୟ କେତେକ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ପାଇଁ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଜାମିନରେ ଛାଡ ପାଇବା ପାଇଁ ଶ୍ରୀ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଏହି ୬୩ କୋଟି ୫୫ ଲକ୍ଷ ଟଙ୍କା ଜମା କରିଥିଲେ। ୨୦୧୬, ଅ‌ଗଷ୍ଟ ୫ରେ ସୁପ୍ରିମକୋର୍ଟ ଏହି ଟଙ୍କା କଟକ ସ୍ବତନ୍ତ୍ର ଅଦାଲତକୁ ଟ୍ରାନ୍ସଫର ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ରେ ଏହି ଟଙ୍କା ପ୍ରସଂଗରେ ଓପିଆଇଡି ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ଅନୁମତି ମିଳିଥିଲା। ଓପିଆଇଡି ଆଇନ ଅନୁସାରେ ହାଇଟେକର ଜବତ ଟଙ୍କା ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଚ୍‌ ଅର୍ଥ ବିଭାଗକୁ ଚିଠି ଲେଖିଥିଲା। ଅର୍ଥ ବିଭାଗ ପକ୍ଷରୁ ୨୦୧୮, ଜାନୁଆରି ୧୮ରେ ଜାରି ମଧୢବର୍ତ୍ତିକାଳୀନ ନିର୍ଦ୍ଦେଶ (ଆଡ୍ ଇ‌‌େଣ୍ଟରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ)ରେ ହାଇଟେକ୍‌ ଦ୍ବାରା ଜମା କରାଯାଇଥିବା ଏହି ଟଙ୍କାର ପରଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏହାପରେ ପ୍ରାଧିକୃତ ଅଧିକାରୀ ଏହି ଟଙ୍କା ହାଇଟେକ୍ ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି ୨୦୧୮ରେ ସ୍ବତନ୍ତ୍ର ଅଦାଲତରେ ଓପିଆଇଡି ଆଇନ ଅନୁସାରେ ମାମଲା ରୁଜୁ କରିଥିଲେ। ଏହାର ରାୟ ପ୍ରକାଶ ପାଇଥିବାବେଳେ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର