ଶ୍ରାବଣରେ ଟାଣ ଖରା, ଖାଲୁଆ ଜମିରୁ ବି ଶୁଖିଗଲାଣି ପାଣି

ନିମାପଡ଼ା: ଚାଷୀକୁଳ ପାଇଁ ଚଳିତ ବର୍ଷ ଶ୍ରାବଣ ଯନ୍ତ୍ରଣାଦାୟକ ହୋଇଛି। କଥା ଅଛି, ଶ୍ରାବଣ ମାସରେ ଗୋଟିଏ ଦିନ ବର୍ଷା ନ ହେଲେ ଲକ୍ଷେ ଭରଣ ଧାନ ନଷ୍ଟ ହୋଇଥାଏ। କିନ୍ତୁ ଚଳିତ ଶ୍ରାବଣରେ ବର୍ଷା ବଦଳରେ ଟାଣ ଖରା ନିମାପଡ଼ା ଅଞ୍ଚଳରେ ଚାଷୀର ମନୋବଳକୁ ଭାଙ୍ଗି ସାରିଲାଣି। ଯାହାବି ଟିକେ ବର୍ଷାରେ ଖାଲୁଆ ବିଲମାନଙ୍କରେ ପାଣି ଜମିଥିଲା ତାହା ଟାଣ ଖରାରେ ଶୁଖିଯିବା ସହ ବିଲ ଫାଟି ଆଁ କଲେଣି। ଶ୍ରାବଣରେ ବର୍ଷା ବିଳମ୍ବିତ ହେଉଥିବାରୁ ଧାନ ଚାଷ ଆରମ୍ଭ କରିବାରେ ଚାଷୀ ପଛେଇଛି। ବେଉଷଣ କାମ ପୂରା ଅଟକି ଯାଇଛି। ଗତ ବର୍ଷ ନିମାପଡ଼ା ବ୍ଲକରେ ଜୁନ୍‌ରେ ୩୨୫.୬ ମିଲିମିଟର୍‌ ବର୍ଷା ହୋଇଥିଲା। କିନ୍ତୁ ଚଳିତ ବର୍ଷ ଜୁନରେ ତାହା ମାତ୍ର ୧୮୬.୮ମିମି ରହିଛି। ଜୁଲାଇ ମାସରେ ଧାନଚାଷର ରୁଆ ଏବଂ ବେଉଷଣ ପାଇଁ ୪ଶହ ମିଲିମିଟରରୁ ଅଧିକ ବ‌ର୍ଷା ଆବଶ୍ୟକତା ଥିବାବେଳେ ଆଜି ତାରିଖ ସୁଧା ୨ଶହ ମିମି ବର୍ଷା ହୋଇଛି ବୋଲି କେନ୍ଦ୍ରୀୟ ଜଳ କମିଶଙ୍କ ସ୍ଥାନୀୟ ଅଧିକାରୀ ବିନୋଦ କୁମାର ଟୁଡ଼ୁ କହିଛନ୍ତି। ନିମାପଡ଼ା ସହକାରୀ କୃଷି ଅଧିକାରୀ ସୁବାସ କୁମାର ବାରିକ କହିଛନ୍ତି ଯେ ନିମାପଡ଼ା ବ୍ଲକ୍‌ରେ ଆବଶ୍ୟକତାରୁ କମ ବର୍ଷା ହୋଇଛି। ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆବଶ୍ୟକ ବର୍ଷା ନହୁଏ ତେବେ ବୁଣାହୋଇ ଗଜା ହୋଇଥିବା ଧାନ ଗଛସବୁ ମରିଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର